MID DAY MEAL: ତରକାରୀରୁ ବାହାରିଲା ଝିଟିପିଟି, ୧୩୦ ଛାତ୍ରଛାତ୍ରୀ ଅସୁସ୍ଥ
ଧାମନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ସମସ୍ତ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି, ଦୁଇ ଗୁରୁତର।
ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ମୁନସୀପାଟଣା ୮ ନମ୍ବର ୱାର୍ଡ ଅନ୍ତର୍ଗତ ଜୟନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଧ୍ୟାହ୍ନ ଭୋଜନରେ ପରିବେଷଣ କରାଯାଇଥିବା ତରକାରୀରୁ ମଲା ଓ ସିଝା ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜୟନଗର ସେବାଶ୍ରମ ସ୍କୁଲରେ ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଜି ୧୩୦ ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ପଞ୍ଚମ ଶ୍ରେଣୀର ଛାତ୍ର ଲିକିଲ ମଲ୍ଲିକ ନିଜ ତରକାରୀରେ ଝିଟିପିଟି ଥିବା ଦେଖି ଶିକ୍ଷକଙ୍କୁ ଜଣାଇଥିଲେ। ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା। ଘଟଣା ପରେ କିଛି ଛାତ୍ରଛାତ୍ରୀଙ୍କ ମୁଣ୍ଡବିନ୍ଧା ଓ ବାନ୍ତି ହେବାରୁ ତୁରନ୍ତ ୧୦୨ ଜରୁରୀ ସେବା ମାଧ୍ୟମରେ ସେମାନଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ପ୍ରତ୍ୟେକ ପିଲାଙ୍କୁ ଔଷଧ ଓ ଓଆରଏସ୍ ପ୍ରଦାନ କରାଯାଉଥିବା ବେଳେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ସୂଚନା ମିଳିଛି। ଗୁରୁତର ଦୁଇ ଛାତ୍ରଛାତ୍ରୀଙ୍କୁ ସାଲାଇନ୍ ଦିଆଯାଉଛି। ଆବଶ୍ୟକ ହେଲେ ସେମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସୁକଲାଲ ମାରାଣ୍ଡିଙ୍କ ସମେତ ୨ ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ୨ ଜଣ ରୋଷେୟା ରହିଛନ୍ତି। ଏଭଳି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣରେ କିପରି ଏଭଳି ଅବହେଳା ହେଲା, ସେନେଇ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଘଟଣାର ପ୍ରକୃତ କାରଣ ଓ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
