Dhamnagar College Election : ଧାମନଗର କଲେଜରେ ଛାତ୍ର ସଂସଦ ନିର୍ବାଚନ, କିଏ ମାରିବ ବାଜି
ଆଠ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ! ଧାମନଗର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ। ୫୯୦ ଛାତ୍ରଛାତ୍ରୀଙ୍କ ଭୋଟ୍, ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ଓ କଡ଼ା ସୁରକ୍ଷା ମଧ୍ୟରେ କ୍ୟାମ୍ପସ୍ ରାଜନୀତି ସରଗରମ । ଏବେ ସମସ୍ତଙ୍କ ନଜର—କାହା ମୁଣ୍ଡରେ ପଡ଼ିବ ବିଜୟର ମୁକୁଟ |
ଦୀର୍ଘ ଅପେକ୍ଷାର ଅନ୍ତଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଭଦ୍ରକ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଧାମନଗର ମହାବିଦ୍ୟାଳୟରେ ଜାରି ରହିଛି ଛାତ୍ର ସଂସଦ ନିର୍ବାଚନ ଲାଗି ଭୋଟିଂ। କ୍ୟାମ୍ପସରେ ଏବେ ନାହିଁ ନଥିବା ଉତ୍ସାହ | ଆଠ ବର୍ଷ ହେବ ବନ୍ଦ ପଡ଼ିଥିବା କଲେଜ୍ ଇଲେକ୍ସନକୁ ନେଇ ଏବେ ଧାମନଗର ମହାବିଦ୍ୟାଳୟର ପ୍ରତ୍ୟେକ କୋଣ ଅନୁକୋଣରେ ଉତ୍ସାହର ଲହରି ଖେଳିଯାଇଛି। କ୍ୟାମ୍ପସ୍ ରାଜନୀତି ସରଗରମ ହୋଇଉଠିଥିବାବେଳେ ପ୍ରାର୍ଥୀ ଓ ସମର୍ଥକମାନେ ଭୋଟ୍ ହାତେଇବା ପାଇଁ ଜୋରଦାର କସରତ ଚାଳୁ ରଖିଛନ୍ତି । ଚଳିତ ନିର୍ବାଚନରେ ମୋଟ୍ ୫୯୦ ଜଣ ଛାତ୍ରଛାତ୍ରୀ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ଏବଂ ଭବିଷ୍ୟତର ନେତା ଚୟନ କରିବେ। ଦୀର୍ଘ ଦିନ ପରେ ନିର୍ବାଚନ ହେଉଥିବାରୁ କୌଣସି ପ୍ରକାର ଶୃଙ୍ଖଳାଗତ ସମସ୍ୟା କିମ୍ବା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ଓ କଲେଜ୍ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। କ୍ୟାମ୍ପସ୍ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡି କରାଯାଇଛି ।ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୨ଟା ଯାଏଁ ମତଦାନ ଚାଲିବ । ତେବେ ଏହି ଆଠ ବର୍ଷର ନିରବତା ପରେ ଧାମନଗର କଲେଜରେ କିଏ ମାରୁଛି ବାଜି ଏବଂ କାହା ମୁଣ୍ଡରେ ପାଟମୁକୁଟ ପଡୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
