ଦୀଘାରୁ ହଟିବ ଧାମ ଶବ୍ଦ
ଦସ୍ତାବିଜ ସ୍ପଷ୍ଟ କରୁଛି ଯେ, ଏହି ପ୍ରକଳ୍ପର ଟେଣ୍ଡର ସାଂସ୍କୃତିକ କେନ୍ଦ୍ର ରୂପରେ ଜାରି କରାଯାଇଛି। ମନ୍ଦିର ନିର୍ମାଣ ଲାଗି ନୁହେଁ। ପୁରୀ ଜଗନ୍ନାଥ ଧାମର ମହିମାକୁ କମ୍ କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ଦିଦି, ତାହା ବଡ଼ ଭୁଲ୍। ଭଗବାନ ଜଗନ୍ନାଥଙ୍କୁ ସେ ପ୍ରାର୍ଥନା କରିଥିଲେ, ଜଗନ୍ନାଥ ଦିଦିଙ୍କୁ ସଦବୁଦ୍ଧି ଦିଅନ୍ତୁ।

ନାମ ଓ ଧାମ ବିବାଦରେ ଜିତିଲା ଜଗନ୍ନାଥ ଧାମ। ଦୀଘା ଜଗନ୍ନାଥ ଧାମରୁ ହଟିବ ଧାମ ଶବ୍ଦ। ଏହା ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପରେ ବଡ଼ ନିଷ୍ପତ୍ତି ସହ ଏଭଳି ଘୋଷଣା କରିଛନ୍ତି ଶୁଭେନ୍ଦୁ। ଦୀଘାରେ ମମତା ସରକାରଙ୍କ ଦ୍ୱାରା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେଇ ବିବାଦକୁ ଡାକିଥିଲେ ଦିଦି। ଏହାକୁ ନେଇ ଓଡ଼ିଶା ସରକାର ଯେତେ ପ୍ରତିବାଦ କଲେ ବି ଶୁଣିନଥିଲେ ଦିଦି। ଧାମ ଶବ୍ଦ କେବଳ ପୁରୀ ପାଇଁ ପ୍ରଜୁଯ୍ୟ ବୋଲି କହିଥିଲେ ସେତେବେଳେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ଏବେକାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭାରତର ସନାତନ ଧର୍ମର ପ୍ରମୁଖ ତୀର୍ଥସ୍ଥଳ ଅଟେ। ଏହାକୁ କାହା ସହ ତୁଳନୀୟ ବା ଏହାର ବିକଳ୍ପ ନିର୍ମାଣ ଅସମ୍ଭବ। ପୂର୍ବ ମେଦିନିପୁରରେ ନିର୍ମିତ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଶୁଭେନ୍ଦୁ କହିଥିଲେ, ଧର୍ମ ନାଁରେ ସରକାରଙ୍କ ରାଜକୋଷକୁ ବରବାଦ କରାଯାଉଛି। ଏହା ସହ ସଂସ୍କୃତି ଓ ସମ୍ୱିଧାନର ବି ଉଲ୍ଲଂଘନ କରାଗଲା। ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କହିବା ଯୁକ୍ତିଯୁକ୍ତ ବୋଲି କହିଥିଲେ ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ। ଆଉ ଦିଦିଙ୍କୁ ସମର୍ଥନ ଜଣାଇଥିଲେ। ରାଧାରମଣ କହିଥିଲେ, ସେ ଭଗବାନଙ୍କ ସେବକ। ଯେଉଁଠି ଭଗବାନଙ୍କ ସେବା ଲାଗି ଡକାଯିବ, ସେ ଯିବେ। ରାଜନୀତିରେ ତାଙ୍କର କୌଣସି ଲେନଦେନ ନାହିଁ। ଶୁଭେନ୍ଦୁ କହିଥିଲେ, ଦୀଘାରେ ଯେଉଁ ମନ୍ଦିର ନିର୍ମାଣ ହେଉଛି, ସେ ମନ୍ଦିର ନୁହେଁ। ବରଂ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଅଟେ। ଦସ୍ତାବିଜ ସ୍ପଷ୍ଟ କରୁଛି ଯେ, ଏହି ପ୍ରକଳ୍ପର ଟେଣ୍ଡର ସାଂସ୍କୃତିକ କେନ୍ଦ୍ର ରୂପରେ ଜାରି କରାଯାଇଛି। ମନ୍ଦିର ନିର୍ମାଣ ଲାଗି ନୁହେଁ। ପୁରୀ ଜଗନ୍ନାଥ ଧାମର ମହିମାକୁ କମ୍ କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ଦିଦି, ତାହା ବଡ଼ ଭୁଲ୍। ଭଗବାନ ଜଗନ୍ନାଥଙ୍କୁ ସେ ପ୍ରାର୍ଥନା କରିଥିଲେ, ଜଗନ୍ନାଥ ଦିଦିଙ୍କୁ ସଦବୁଦ୍ଧି ଦିଅନ୍ତୁ। ଇସ୍କନକୁ ବି ଧୋଇଥିଲେ ଶୁଭେନ୍ଦୁ। ଇସ୍କନ ପ୍ରତିନିଧି ଭାବେ ରାଧାରମଣଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଦେଖି କଟାକ୍ଷ କରିଥିଲେ ଶୁଭେନ୍ଦୁ। ଗୋଟିଏ ଧାର୍ମିକ ସଂଗଠନର ପ୍ରତିନିଧି ଭାବରେ ରାଧାରମଣ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ବିରୋଧ କରିବାର ଥିଲା।
