ଶିକ୍ଷକ ନିଯୁକ୍ତି ଘୋଟାଲା- ଇଡିରେ ହାଜର ହେଲେ ଅଭିଷେକ
ପ୍ରାୟ ୨୬,୦୦୦ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠିଥିଲା। କଲକାତା ହାଇକୋର୍ଟ ଏହି ନିଯୁକ୍ତିଗୁଡ଼ିକୁ ଅବୈଧ ବୋଲି ରାୟ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ବୃହତ୍ ଅନିୟମିତତା ଓ ଜାଲିଆତି ସମ୍ପର୍କରେ ଗୁରୁତର ଟିପ୍ପଣୀ କରିଥିଲେ। ଏହି ମାମଲାରେ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, SSC ଓ ଶିକ୍ଷା ବିଭାଗର ଅନେକ ପୂର୍ବତନ ଅଧିକାରୀ, ପରାମର୍ଶଦାତା ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ନାଁ ଚାର୍ଜସିଟ୍ରେ ଉଲ୍ଲେଖ ହୋଇଛି

ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଇଡିରେ ହାଜର ହେଲେ ଅଭିଷେକ ବାନାର୍ଜୀ। ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଓ ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ଆଜି କୋଲକାତାର CGO କମ୍ପ୍ଲେକ୍ସସ୍ଥିତ ଇଡି ଅଫିସରେ ହାଜର ହୋଇଥିଲେ। ପଶ୍ଚିମବଙ୍ଗର ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ସମନ୍ ଜାରି କରିଥିଲା। ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା କଥିତ ଅନିୟମିତତା, ଆର୍ଥିକ କାରବାର ଏବଂ ମନି ଲଣ୍ଡରିଂ ଦିଗକୁ ନେଇ ତଦନ୍ତ କରୁଛି ଇଡି। ଏହି ମାମଲାରେ ପୂର୍ବରୁ ଅନେକ ନେତା, ଅଧିକାରୀ ଓ ମଧ୍ୟସ୍ଥିଙ୍କୁ ପଚରାଉଚରା କରାଯାଇଛି। ଗତ ୩ ଜୁନରେ ଇଡି ତାଙ୍କୁ ୧୫ ଜୁନରେ ହାଜର ହେବାକୁ ସମନ୍ ପଠାଇଥିଲା। ଏଥିପାଇଁ ଇଡି ଟିମ୍ କୋଲକାତାରେ ଥିବା ତାଙ୍କ ବାସଭବନକୁ ଯାଇ ନୋଟିସ୍ ଦେଇଥିଲା। ଏହି ଘଟଣା ଏମିତି ଏକ ସମୟରେ ଘଟିଛି ଯେତେବେଳେ ଅଭିଷେକ ବାନାର୍ଜୀ ଅନ୍ୟ ଏକ ବିବାଦୀୟ ଦସ୍ତଖତ ଜାଲିଆତି ମାମଲାରେ ସିଆଇଡି ଜେରାର ବି ସମ୍ମୁଖୀନ ହେଉଛନ୍ତି। ଗତ ଦୁଇ ଦିନ ଧରି CID ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ତେବେ ଟିଏମସି ପକ୍ଷରୁ ଏହି ତଦନ୍ତକୁ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରାଯାଉଥିବା ବେଳେ, ଇଡି କହିଛି ଯେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ଆର୍ଥିକ ଅନିୟମିତତାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ School Service Commission (SSC) Recruitment Scam ହେଉଛି ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲଗୁଡ଼ିକରେ ଶିକ୍ଷକ ଏବଂ Group-C, Group-D କର୍ମଚାରୀ ନିଯୁକ୍ତିରେ ହୋଇଥିବା କଥିତ ଦୁର୍ନୀତି। ଅଭିଯୋଗ ହେଉଛି ଯେ, ଯୋଗ୍ୟ ପ୍ରାର୍ଥୀଙ୍କୁ ବଞ୍ଚିତ କରି ଟଙ୍କା ନେଇ କମ୍ ନମ୍ୱର ପାଇଥିବା ପ୍ରାର୍ଥୀଙ୍କୁ ଚାକିରି ଦିଆଯାଇଥିଲା। ୨୦୨୨ ମସିହାରେ କଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ CBI ତଦନ୍ତ ଆରମ୍ଭ କରିଥିଲା। ପରେ ED ମନି ଲଣ୍ଡରିଂ ଦିଗରୁ ତଦନ୍ତ କରିଥିଲା। ତଦନ୍ତ ସମୟରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଘରୁ ୨୦ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା, ସୁନା ଓ ବିଭିନ୍ନ ଦଲିଲ ଜବତ ହୋଇଥିଲା। ପରେ ଦୁଇଟି ଫ୍ଲାଟରୁ ମୋଟ ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଉଦ୍ଧାର ହୋଇଥିବା ଦାବି କରାଯାଇଥିଲା। ତଦନ୍ତ ଓ ଅଦାଲତୀ ପ୍ରକ୍ରିୟାରେ ପ୍ରାୟ ୨୬,୦୦୦ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠିଥିଲା। କଲକାତା ହାଇକୋର୍ଟ ଏହି ନିଯୁକ୍ତିଗୁଡ଼ିକୁ ଅବୈଧ ବୋଲି ରାୟ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ବୃହତ୍ ଅନିୟମିତତା ଓ ଜାଲିଆତି ସମ୍ପର୍କରେ ଗୁରୁତର ଟିପ୍ପଣୀ କରିଥିଲେ। ଏହି ମାମଲାରେ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, SSC ଓ ଶିକ୍ଷା ବିଭାଗର ଅନେକ ପୂର୍ବତନ ଅଧିକାରୀ, ପରାମର୍ଶଦାତା ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ନାଁ ଚାର୍ଜସିଟ୍ରେ ଉଲ୍ଲେଖ ହୋଇଛି। CBI ଓ ED ଉଭୟ ଏହି ମାମଲାର ତଦନ୍ତ କରୁଛି। ମାମଲାର ଶୁଣାଣି ଓ ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି। ବହୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଛି ଏବଂ ED ଏପର୍ଯ୍ୟନ୍ତ ଶତାଧିକ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଦାବି କରିଛି। ଏହି ଦୁର୍ନୀତିକୁ ପଶ୍ଚିମବଙ୍ଗର ସବୁଠାରୁ ବଡ଼ "Cash-for-Jobs" ଘୋଟାଲା ଭାବେ ଦେଖାଯାଏ, ଯାହା ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ନିଯୁକ୍ତି ପ୍ରକ୍ରିୟା ଉପରେ ସାଂଘାତିକ ପ୍ରଶ୍ନ ଉଠାଇଛି।
