ସନ୍ଦୀପ ଘୋଷଙ୍କ ଘରେ ବୁଲିବ ବୁଲଡୋଜର
ଯାଞ୍ଚ ସମୟରେ ମୂଳ ଅନୁମୋଦିତ ନକ୍ସା ବାହାରେ ତିନୋଟି ନିର୍ମାଣ ହୋଇଥିବା ଚିହ୍ନଟ ହୋଇଥିଲା। ଏଥିରେ ଛାତ ଉପରେ ନିର୍ମିତ ପର୍ଗୋଲା, ଲିଫ୍ଟ ମେସିନ୍ ରୁମକୁ ଯିବା ପାଇଁ ଲଗାଯାଇଥିବା ଲୁହାର ସ୍ପାଇରାଲ୍ ସିଡ଼ି ଏବଂ ପ୍ରଥମ ମହଲାର ଦ୍ୱାରରେ ନିର୍ମିତ ଇଟା କାନ୍ଥ ସାମିଲ ଅଛି।

ଭାଙ୍ଗିବ ସନ୍ଦୀପ ଘୋଷଙ୍କ ଘର। ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ। କୋଲକାତା ମ୍ୟୁନିସିପାଲ କର୍ପୋରେସନ ଦେଲା ଅର୍ଡର। ଘରର ବେଆଇନ ନିର୍ମାଣକୁ ଉଛେଦ ଲାଗି ନିଷ୍ପତ୍ତି। ୪୫ ଦିନ ଭିତରେ ରୁଫଟପ ନିର୍ମାଣ ଭାଙ୍ଗିବାକୁ ଦେଲା ମହଲତ। ନଚେତ ନିଜେ ଭାଙ୍ଗିବ କର୍ପୋରେସନ। ସନ୍ଦୀପ ଘୋଷଙ୍କ ଘର ଉପରେ ବୁଲିବ ବୁଲଡୋଜର। ୪୫ ଦିନ ଭିତରେ ଭାଙ୍ଗିବାକୁ ନୋଟିସ ଦେଲା କର୍ପୋରେସନ। କେଏମସି ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ଘରର କିଛି ଅନୁମୋଦନବିହୀନ ଅଂଶକୁ ୪୫ ଦିନ ମଧ୍ୟରେ ଭଙ୍ଗାଯିବ। କୋଲକାତାର ବେଲେଘାଟା ଅଞ୍ଚଳର ବଦନ ରାୟ ଲେନ୍ରେ ଥିବା ସନ୍ଦୀପ ଘୋଷଙ୍କ ବାସଭବନରେ କେଏମସି ଅଧିକାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମୂଳ ଅନୁମୋଦିତ ନକ୍ସା ବାହାରେ ତିନୋଟି ନିର୍ମାଣ ହୋଇଥିବା ଚିହ୍ନଟ ହୋଇଥିଲା। ଏଥିରେ ଛାତ ଉପରେ ନିର୍ମିତ ପର୍ଗୋଲା, ଲିଫ୍ଟ ମେସିନ୍ ରୁମକୁ ଯିବା ପାଇଁ ଲଗାଯାଇଥିବା ଲୁହାର ସ୍ପାଇରାଲ୍ ସିଡ଼ି ଏବଂ ପ୍ରଥମ ମହଲାର ଦ୍ୱାରରେ ନିର୍ମିତ ଇଟା କାନ୍ଥ ସାମିଲ ଅଛି। କେଏମସି କହିଛି ଯେ, ଏହି ନିର୍ମାଣଗୁଡ଼ିକ କୋଲକାତା ମ୍ୟୁନିସିପାଲ କର୍ପୋରେସନ୍ ବିଲ୍ଡିଂ ରୁଲ୍ସ-୨୦୦୯ର ନିୟମ ୧୩୩ ଓ ୧୩୪ର ଉଲ୍ଲଂଘନ କରୁଛି। ଅଭିଯୋଗ ମିଳିବା ପରେ କେଏମସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ୨୦୨୪ ଅକ୍ଟୋବରରେ କେଏମସି ଏହି ବେଆଇନ ନିର୍ମାଣକୁ ନେଇ ନୋଟିସ ଜାରି କରିଥିଲା। ଶୁଣାଣି ସମୟରେ ସମ୍ପତ୍ତି ମାଲିକଙ୍କ ପ୍ରତିନିଧିମାନେ ବିବାଦୀୟ ପର୍ଗୋଲାକୁ ନବୀକରଣ କାମ ସମୟରେ ହଟାଇବାକୁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଶେଷରେ କେଏମସିର ବିଲଡିଂ ସ୍ପେଶାଲ ଅଫିସର ବେଆଇନ ନିର୍ମାଣ ହଟାଇବାକୁ ଆଦେଶ ଦେଇଛନ୍ତି। ତେବେ ଏହି ଆଦେଶ ବିରୋଧରେ ମ୍ୟୁନିସିପାଲ ବିଲ୍ଡିଂ ଟ୍ରିବ୍ୟୁନାଲରେ ଅପିଲ୍ କରିବାର ସୁଯୋଗ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ, ଆର୍ଜି କର ହସ୍ପିଟାଲ ଘଟଣା ଓ ଆର୍ଥିକ ଅନିୟମିତତା ମାମଲାରେ ସନ୍ଦୀପ ଘୋଷ ପୂର୍ବରୁ ହିଁ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ନଜରରେ ରହିଛନ୍ତି।
