Student Polls : ଛାତ୍ର ନିର୍ବାଚନକୁ ନେଇ DGPଙ୍କ ବଡ଼ ନିର୍ଦ୍ଦେଶ
ଆସନ୍ତା ୧୫ ତାରିଖର ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ କରାଇବା ଓ ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ନେଇ ଡିଜିପି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ଏଥିସହ ସାଇବର ଅପରାଧ, ମହିଳା ସୁରକ୍ଷା, ନିଶା ନିୟନ୍ତ୍ରଣ ଓ ଅପରାଧ ଦମନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ନିର୍ବାଚନ ପୂର୍ବରୁ ପୋଲିସର କଡ଼ା ପ୍ରସ୍ତୁତି | ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି | ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବାକୁ ପୋଲିସ ଗୁରୁତ୍ୱ ଦେଇଛି। ଏନେଇ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍ପି ଏବଂ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି | ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ବୈଠକରେ ଛାତ୍ର ନିର୍ବାଚନ ସହ ପର୍ବପର୍ବାଣୀର ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ସାଇବର ଅପରାଧ, ଅପରାଧ ନିୟନ୍ତ୍ରଣ ଓ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଉପରେ ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କ ସହ ନିୟମିତ ଓ ବ୍ୟକ୍ତିଗତ ଯୋଗାଯୋଗ ରଖିବା ସହ ଛାତ୍ର ନେତାଙ୍କ ସହ ବୈଠକ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମନ୍ୱୟ ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି |କଲେଜ ପରିସରକୁ ଅଣଛାତ୍ର ଓ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ରୋକିବା ସହ ଛାତ୍ରାବାସ ଓ ମେସ୍ ଉପରେ ନଜର ରଖିବାକୁ କୁହାଯାଇଛି। ଫଳାଫଳ ପରେ ହିଂସାର ଆଶଙ୍କା ଅଧିକ ଥିବାରୁ ସେ ସମୟରେ ବିଶେଷ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ହିଂସାର ଆଶଙ୍କା ନଥିଲେ ଅନାବଶ୍ୟକ ପୋଲିସ ବଳ ମୁତୟନ ନକରିବାକୁ ଡିଜିପି ସ୍ପଷ୍ଟ କରିଛନ୍ତି | ଏଥିସହ ସାଇବର ଅପରାଧ ନିୟନ୍ତ୍ରଣ, ମହିଳା ସୁରକ୍ଷା, NDPS ଆଇନର କଡ଼ା କାର୍ଯ୍ୟାନ୍ୱୟନ, ଅପରାଧୀଙ୍କ ବିରୋଧରେ ଚଢ଼ାଉ ଏବଂ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’କୁ ସୁଦୃଢ଼ କରିବା ଉପରେ ମଧ୍ୟ ଡିଜିପି ଗୁରୁତ୍ୱ ଦେଇଛନ୍ତି | ନୂତନ ଅପରାଧ ଆଇନର ସଫଳ କାର୍ଯ୍ୟକାରିତା ଓ ପୋଲିସ ଭିତ୍ତିଭୂମି ବିକାଶ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଏଡିଜିପି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି (ରେଲୱେ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ପୋଲିସ କମିସନର (ଭୁବନେଶ୍ୱର-କଟକ) ଡଃ ଏସ୍ ଦେବଦତ୍ତ ସିଂ, ଏଡିଜିପି (ଏସଏପି) ରାଜେଶ କୁମାର, ଏଡିଜିପି (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏଡିଜିପି (ଏଚ୍ଆର୍ପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ଏସ୍ଟିଏଫ୍) ହିମାଂଶୁ ଲାଲ, ଆଇଜିପି (ଗୁଇନ୍ଦା) ସତ୍ୟବ୍ରତ ଭୋଇ, ଏସ୍ସିଆର୍ବି ନିର୍ଦ୍ଦେଶକ ଅବିନାଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ | ଏଥିସହ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ |
