Devastated by Flood:ବନ୍ୟାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ମା’ ଅମ୍ବିକାଙ୍କ ପୀଠ
ଛାଡି ଯାଇଛି ବନ୍ୟା, କିନ୍ତୁ ଏହି ବନ୍ୟାରେ ଘଟିଛି ବ୍ୟାପକ କ୍ଷୟକ୍ଷତି। ଶିମିଳିପାଳ ପାଦଦେଶରେ ଥିବା ମା’ ଅମ୍ବିକାଙ୍କ ପ୍ରସିଦ୍ଧ ଶକ୍ତିପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଲଗାତାର ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି ଅଞ୍ଚଳର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।
ମୟୁରଭଞ୍ଜ : ଶିମିଳିପାଳ ଅଭୟରଣ୍ୟ ଭିତରେ ଶୋଭା ପାଉଥିବା ମା’ ଅମ୍ବିକାଙ୍କ ପୀଠ ଓ ଦେବକୁଣ୍ଡ ଏବେ ବନ୍ୟା ମାଡ଼ରେ ଚୂର୍ମାର୍ ହୋଇଯାଇଛି। ମୁଖ୍ୟ ଗେଟ୍ରୁ ୫ କିମି ଜଙ୍ଗଲ ରାସ୍ତା ଅତିକ୍ରମ କଲେ ଏହି ପୀଠକୁ ଯିବାକୁ ପଡ଼େ। ପ୍ରକୃତିର ମନୋରମ ପରିବେଶ ପାଇଁ ଏଠାକୁ ଦେଶବିଦେଶରୁ ହଜାର ହଜାର ପର୍ଯ୍ୟଟକ ଛୁଟିଆସିଥାନ୍ତି।ମାତ୍ର ସାମ୍ପ୍ରତିକ ବର୍ଷା ଓ ବନ୍ୟା କାରଣରୁ ରାସ୍ତାରେ ଥିବା ଦୁଇଟି ପୋଲ ଧୋଇ ହୋଇଯିବାରୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ମନ୍ଦିର ଚାରିପଟେ ଥିବା ପାଚେରୀ, ହନୁମାନ ମୂର୍ତ୍ତି, ଯଜ୍ଞ କୁଣ୍ଡ ଏବଂ ଷ୍ଟିଲ୍ ବାଡ଼ ଭାଙ୍ଗି ଭାସି ଯାଇଛି।ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଥିବାରୁ ମୁଖ୍ୟ ଫାଟକରୁ ହିଁ ସେମାନେ ନିରାଶ ହୋଇ ଫେରୁଛନ୍ତି।ଏହି ଘଟଣା ପରେ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଦଳୀୟ କର୍ମୀଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଏଥିପାଇଁ ୪୦ରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି। ସେହିପରି ସ୍ଥାନୀୟ ଭକ୍ତ ସୀମାନ୍ତ ତ୍ରିପାଠୀ ଉପଖଣ୍ଡ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।ଆଗାମୀ ପର୍ଯ୍ୟଟନଋତୁ ପୂର୍ବରୁ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ମା’ ଅମ୍ବିକାଙ୍କ ପୀଠର ପୁନଃଉଦ୍ଧାର ପାଇଁ ସାଧାରଣରେ ଦାବି ଜୋର୍ ଧରିଛି।
