ଜୀବନ ଅମୂଲ୍ୟ- ସୋନମଙ୍କ ସ୍ୱାସ୍ଥ୍ୟକୁ ନେଇ ହାଇକୋର୍ଟଙ୍କ ଚିନ୍ତା
ଜୀବନ ଅମୂଲ୍ୟ କହି ଆଜି ଦିଲ୍ଲୀ ହାଇକୋର୍ଟ ସୋନମଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସରକାରୀ ଡାକ୍ତରଙ୍କ ଦ୍ୱାରା ନିୟମିତ ମେଡିକାଲ ଯାଞ୍ଚ କରିବା ଓ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଆବଶ୍ୟକତା ପଡ଼ିଲେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ଆମରଣ ଅନଶନରେ ବସିଥିବା ସୋନମ ଓ୍ୱାଙ୍ଗଚୁକଙ୍କ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା। ଦିଲ୍ଲୀ ହାଇକୋର୍ଟରେ କାଲି ପହଞ୍ଚିଥିଲା ଏ ମାମଲା। ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣୀ କରିଛନ୍ତି ଅଦାଲତ। ଆଜି ସକାଳ ସୁଦ୍ଧା କେନ୍ଦ୍ର ଓ ଦିଲ୍ଲୀ ସରକାର ଜବାବ ଦାଖଲ ଲାଗି କୋର୍ଟ ଦେଇଥିଲେ ନିର୍ଦେଶ। ୧୯ ଦିନ ହେଲା ଜନ୍ତରମନ୍ତରରେ ଅନଶନରେ ବସିଥିବା ସୋନମଙ୍କ ଓଜନ ହ୍ରାସ ପାଇଛି। ଶରୀର କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ତୁରନ୍ତ ହସ୍ପିଟାଲକୁ ସିଫ୍ଟ କରାଯାଉ ଓ ସୋନମଙ୍କୁ ଫୋର୍ସ-ଫିଡିଂ ଦେବାକୁ ପିଟିସନ ପକାଇଛନ୍ତି ଓକିଲ ରାକେଶ ସୈନୀ। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କୋର୍ଟରେ ହାଜର ହୋଇ କହିଥିଲେ, କାଲିଠୁ ନୋଟିସ ଜାରି ହୋଇସାରିଛି। ଜୀବନ ଅମୂଲ୍ୟ କହି ଆଜି ଦିଲ୍ଲୀ ହାଇକୋର୍ଟ ସୋନମଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସରକାରୀ ଡାକ୍ତରଙ୍କ ଦ୍ୱାରା ନିୟମିତ ମେଡିକାଲ ଯାଞ୍ଚ କରିବା ଓ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଆବଶ୍ୟକତା ପଡ଼ିଲେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଶୁଣାଣୀ ବେଳେ କୋର୍ଟ ପଚାରିଥିଲେ, ସୋନମଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଲାଗି କୌଣସି ବ୍ୟବସ୍ଥା ହୋଇଛି କି। ସଲିସିଟର ଜେନେରାଲ ଜବାବରେ କହିଥିଲେ, ତାଙ୍କ ସ୍ୱାସ୍ଥ୍ୟବସ୍ଥାର ନିୟମିତ ଯାଞ୍ଚ ହେଉଛି। ଏହା ସହ ଉପସ୍ଥିତ ଥିବା ବାକି ଲୋକଙ୍କୁ ବି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସହ ଜଡ଼ିତ କଥା ବତାଇଦିଆଯାଉଛି। ଯେବେ ସୋନମ ଅନୁମତି ଦେଲେ, ସରକାରୀ ଡାକ୍ତର ତାଙ୍କ ପାଖକୁ ଯାଇ ଚିକିତ୍ସା କରିଥିଲେ। କୋର୍ଟକୁ ସଲିସିଟର ଜେନେରାଲ ଭରସା ଦେଇଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶରେ ଯାହା ବି ସହଯୋଗ ଓ ସାହାଯ୍ୟ ଦରକାର ପଡ଼ିବ, ତାକୁ ଉପଲବ୍ଧ କରାଯିବ।
