Price Gap in Cancer Medicine:କ୍ୟାନସର ଔଷଧକୁ ନେଇ ସୁପ୍ରିମ୍ କୋର୍ଟ ଖପ୍ପା
କ୍ୟାନସର ରୋଗୀଙ୍କୁ ଦିନ ଆଲୁଅରେ ଚୋରି, ୧୦ ଗୁଣା ଅଧିକ ଦାମ୍ରେ ଔଷଧ ବିକ୍ରି | କେନ୍ଦ୍ର ସରକାର ଓ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କଲେ ସୁପ୍ରିମ୍ କୋର୍ଟ | ମନମୁଖୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ |
ନୂଆଦିଲ୍ଲୀ : କ୍ୟାନସର ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ନିରୂପାୟ ରୋଗୀ ଓ ତାଙ୍କ ପରିବାର ଶୋଷଣ କରି ଭାରି ଲାଭ ଉଠାଉଥିବା ଫାର୍ମା କମ୍ପାନୀ ଓ ରିଟେଲର ମାନଙ୍କୁ ନେଇ ସୁପ୍ରିମ୍ କୋର୍ଟ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳବାର ଦିନ ଶୁଣାଣି ବେଳେ ଜୀବନରକ୍ଷକ କ୍ୟାନସର ଔଷଧର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ଅଦାଲତ ଏହାକୁ ରୋଗୀଙ୍କ ସହ "ଦିବାଲୋକରେ ଡକାୟତି" ଓ "ଖୋଲାଖୋଲି ଲୂଟ୍ " ଏ ଆଖ୍ୟା ଦେଇଛନ୍ତି ।
ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିଛନ୍ତି,ଯେଉଁଥିରେ ଔଷଧ ଗୁଡିକ ଉପରେ ଶକ୍ତ ମୂଲ୍ୟ ନିୟନ୍ତ୍ରଣ ନିମନ୍ତେ ଆବେଦନ କରାଯାଇଥିଲା | ଶୁଣାଣି ବେଳେ ଅଦାଲତ ସାମ୍ନାକୁ ଯେବେ ଏହି ତଥ୍ୟ ଆସିଥିଲା ଯେ ,ଯେଉଁ ଔଷଧର ମୂଲ୍ୟ ଖୁଚୁରା ବ୍ୟବସାୟୀଙ୍କ ପାଇଁ ମାତ୍ର ୨,୭୦୦ ଟଙ୍କା, ତାହାର ଏମଆରପି (MRP) ୨୭,୦୦୦ ଟଙ୍କା ଛାପାଯାଉଛି ସେତେବେଳେ ଖଣ୍ଡପୀଠ ଉତ୍ତେଜିତ ହେଇଯାଇଥିଲା | ଅଦାଲତ କଡା ଟିପ୍ପଣୀ କରି କହିଥିଲା ଯେ ଏମଆରପିରୁ ୧୦ ଗୁଣା ଅଧିକ ଦାମ୍ରେ ଔଷଧ ବିକ୍ରି କରିବା କୌଣସି ଵଟ୍ଟି ଆଦାୟରୁ କମ୍ ନୁହଁ | ଚିକିତ୍ସା ପାଇଁ ଲୋକମାନେ ଘରଦ୍ୱାର ଓ ଗହଣା ବିକିବାକୁ ବାଧ୍ୟ ହେଇଯାଉଛନ୍ତି |
ଅଦାଲତ ଏହି କଥାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲାଯେ ଏଭଳି ଗମ୍ଭୀର ମାମଲାର ନିୟନ୍ତ୍ରଣ କରିବାକୁ ଥିବା ସରକାରୀ ସଂସ୍ଥାଗୁଡ଼ିକ ନୀରବ ଦ୍ରଷ୍ଟା ସାଜିଛନ୍ତି। ଆବେଦନରେ 'ଡ୍ରଗ୍ସ ଅର୍ଡର' 2013 ଅଧୀନରେ କଡା ନିୟମ ଲାଗୁକରିବା ଓ ଔଷଧ କମ୍ପାନୀଗୁଡ଼ିକର ଏହି ମନମୁଖୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ସହ ଜେନେରିକ୍ ଔଷଧ ପ୍ରଚଳନକୁ ବାଧ୍ୟତାମୂଳକ କରିବାକୁ ଆବେଦନକାରୀ ଦାବି କରିଛନ୍ତି। ସୁପ୍ରିମ୍ କୋର୍ଟ ଏହି ଜନହିତକର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୯, ୨୦୨୬ କୁ ଧାର୍ଯ୍ୟ କରିଛି |
