Rain Update: ଦୁର୍ବଳ ହେଉଛି ଅବପାତ, ଆସନ୍ତାକାଲିଠୁ କମିବ ବର୍ଷା
ଓଡ଼ିଶାରେ ଦୁର୍ବଳ ହେଉଛି ଅବପାତ। ଆସନ୍ତା ୨୪ ଘଣ୍ଟାରେ କମିବ ବର୍ଷା। ମାଲକାନଗିରି, କୋରାପୁଟ, ଗଜପତିରେ ବର୍ଷା, ଭୂସ୍ଖଳନ ଓ ଯାତାୟାତ ସ୍ଥିତି ଉପରେ ନଜର।

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ଅବପାତ। Deep Depressionରୁ Depressionରେ ପରିଣତ ହେବା ପରେ ଏହା ଆହୁରି ଦୁର୍ବଳ ହୋଇ Low Pressure Areaରେ ପରିଣତ ହେବା ଦିଗରେ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟାରେ ବର୍ଷାର ପରିମାଣ ଓ ପ୍ରକୋପ ଗତ ୨୪ ଘଣ୍ଟା ତୁଳନାରେ ଯଥେଷ୍ଟ କମିବାର ସମ୍ଭାବନା ରହିଛି। ଆସନ୍ତାକାଲି ବେଳକୁ ରାଜ୍ୟରେ ବର୍ଷା କମିବା ସହ ପରିସ୍ଥିତିରେ ସୁଧାର ଆସିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିର କିଛି ରାସ୍ତାରେ ପାଣି ଚାଲିଛି। ଜାତୀୟ ରାଜପଥର କିଛି ଅଂଶରେ ଯାତାୟାତ ବନ୍ଦ ରହିଛି। ଅଟକିଥିବା ଯାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପାଣି କମିବା ପରେ ଯାତାୟାତ ସ୍ୱାଭାବିକ ହେବ। ଗଜପତି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଭୂସ୍ଖଳନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଭୂସ୍ଖଳନର ମୁକାବିଲା କରାଯାଉଛି। କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହୋଇଥିବାରୁ ରାସ୍ତାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି। ତେବେ ବିକଳ୍ପ ରାସ୍ତା ଓ ଡାଇଭର୍ସନ୍ ରୁଟ୍ ବ୍ୟବସ୍ଥା କରାଯାଇଥିବାରୁ ଯାତାୟାତ ଜାରି ରହିଛି। କୋରାପୁଟ ଜିଲ୍ଲାର ଅନ୍ୟ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ରାସ୍ତାଘାଟ ମରାମତି କାମ ଚାଲିଛି। ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ମକା ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।
ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ପ୍ରାୟ ୧,୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ନବରଙ୍ଗପୁରରେ ପ୍ରାୟ ୪,୦୦୦ ଏବଂ ଗଜପତିରେ ପ୍ରାୟ ୭,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୈତରଣୀ ନଦୀର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଛି। ଆନନ୍ଦପୁରରେ ଜଳସ୍ତର ୱାର୍ଣ୍ଣିଂ ଲେଭଲ୍ଠାରୁ ତଳେ ରହିଥିବା ବେଳେ ଆଖୁଆପଦାରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ବୈତରଣୀର ଜଳସ୍ତର ୧୮.୭୯ ମିଟର ରହିଥିଲା। ଆଗକୁ ବନ୍ୟା ସ୍ଥିତିରେ ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି। ବ୍ରାହ୍ମଣୀ ଓ ଅନ୍ୟ ନଦୀରେ ମଧ୍ୟ ଜଳସ୍ତର କମିବା ନେଇ ଆଶା ପ୍ରକାଶ କରାଯାଇଛି। ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ କୁହାଯାଇଥିବା ବେଳେ କାଲି ରାତି ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବା ନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଜୁନ୍ ମାସରେ ଓଡ଼ିଶାର ସ୍ୱାଭାବିକ ବର୍ଷା ପରିମାଣ ପ୍ରାୟ ୨୦୬ ମିଲିମିଟର ରହିଥାଏ। କିନ୍ତୁ କମ୍ ବର୍ଷା ଯୋଗୁଁ ବାସ୍ତବ ବର୍ଷା ପରିମାଣ ୧୦୮.୮ ମିଲିମିଟରରେ ସୀମିତ ରହିଥିଲା। ଫଳରେ ସ୍ୱାଭାବିକ ବର୍ଷା ତୁଳନାରେ ପ୍ରାୟ ୪୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଥିଲା।

