ଉନ୍ନାଓରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର ଧକ୍କାରେ ୫ ମୃତ, ୧୨ ଆହତ
ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲା ଅନ୍ତର୍ଗତ ବାଙ୍ଗରମାଉ କୋତୱାଲୀ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା–ଲକ୍ଷ୍ଣୌ ଏକ୍ସପ୍ରେସୱେରେ ହରିୟାଣାରୁ ବିହାର ଯାଉଥିବା ଏକ ଘରୋଇ ସ୍ଲିପର ବସ୍ ନିୟନ୍ତ୍ରଣ ହରାଇ ଏକ ଆର୍ଟିଗା କାରକୁ ଧକ୍କା ଦେବା ପରେ ରାସ୍ତା କଡ଼କୁ ଖସି ପଲଟି ଯାଇଥିଲା। ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବସ୍ରେ ଥିବା ୧୨ ଜଣ ଆହତ ହୋଇଛନ୍ତି।

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲା ଅନ୍ତର୍ଗତ ବାଙ୍ଗରମାଉ କୋତୱାଲୀ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା–ଲକ୍ଷ୍ଣୌ ଏକ୍ସପ୍ରେସୱେରେ ହରିୟାଣାରୁ ବିହାର ଯାଉଥିବା ଏକ ଘରୋଇ ସ୍ଲିପର ବସ୍ ନିୟନ୍ତ୍ରଣ ହରାଇ ଏକ ଆର୍ଟିଗା କାରକୁ ଧକ୍କା ଦେବା ପରେ ରାସ୍ତା କଡ଼କୁ ଖସି ପଲଟି ଯାଇଥିଲା। ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବସ୍ରେ ଥିବା ୧୨ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ବୁଧବାର ଭୋର ପ୍ରାୟ ୪ଟା ୩୦ ମିନିଟ୍ରେ ଦେବଖରୀ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବସ୍ ଚାଳକଙ୍କୁ ଟିକେ ଆଖି ଲାଗିଯିବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍ଟି ଡିଭାଇଡର ଅତିକ୍ରମ କରି ବିପରୀତ ଦିଗକୁ ଚାଲିଯାଇ ସାମ୍ନାରୁ ଆସୁଥିବା ଆର୍ଟିଗା କାରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ବସ୍ଟି ରାସ୍ତା ତଳକୁ ଖସି ପଲଟି ଯାଇଥିଲା। ଏହି ଦୁର୍ଘଟଣାରେ ଧୁନମୁନ (୬୦), ଅଞ୍ଜୁ (୪୦), ଦିବ୍ୟା (୬), ଅମୃତା (୧୩) ଓ କାର ଚାଳକ ବିନୋଦ (୪୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଦୁଇ ଜଣ ମହିଳା ରହିଛନ୍ତି। ସମସ୍ତ ମୃତକ ଏକେ ପରିବାରର ହୋଇଥିବା ବେଳେ ସେମାନେ ସନ୍ତ କବୀରନଗର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଘଟଣା ପରେ ପୋଲିସ, ୟୁପିଡା ଓ ପ୍ରଶାସନିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ପ୍ରଥମେ ବାଙ୍ଗରମାଉ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏବଂ ଗୁରୁତର ଆହତଙ୍କୁ ଉନ୍ନାଓ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ସୂଚନା ପାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଧନଶ୍ୟାମ ମୀନା, ପୋଲିସ ଅଧୀକ୍ଷକ ଜୟ ପ୍ରକାଶ ସିଂହ, ଉପ-ଜିଲ୍ଲା ମାଜିଷ୍ଟ୍ରେଟ୍ ବାଙ୍ଗରମାଉ ବ୍ରିଜମୋହନ ଶୁକ୍ଳାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ ଜାରି ରଖିଛି।
