Dara Singh Bail Reject: ଦାରା ସିଂଙ୍କୁ ଜେଲରୁ ଆଗୁଆ ମୁକ୍ତି ମନା
ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶା ସରକାରଙ୍କ Sentence Review Board ଖାରଜ କରିଛି। ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି।
ଭୁବନେଶ୍ୱର: ୧୯୯୯ ମସିହାର ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶା ସରକାର ଖାରଜ କରିଛନ୍ତି। ଅଗଷ୍ଟ ୩୧ରେ ଅନୁଷ୍ଠିତ ରାଜ୍ୟ Sentence Review Boardର ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଅଧିକାରୀଙ୍କ ସୂଚନାକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇଛି। ଦାରା ସିଂ ପ୍ରାୟ ୨୬ ବର୍ଷରୁ ଅଧିକ ସମୟ ଜେଲରେ ରହିଥିବା ଦର୍ଶାଇ ରାଜ୍ୟର remission policy ଅନୁସାରେ ଆଗୁଆ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ତାଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାକୁ କହିଥିଲେ।
୧୯୯୯ ଜାନୁଆରୀରେ କେନ୍ଦୁଝର ଜିଲ୍ଲାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ମୃତ୍ୟୁ ଘଟିଥିଲା। ଦାରା ସିଂଙ୍କୁ ପ୍ରଥମେ ମୃତ୍ୟୁଦଣ୍ଡ ମିଳିଥିଲା। ପରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ ଏବଂ ୨୦୧୧ରେ ସୁପ୍ରିମକୋର୍ଟ ଏହି ଦଣ୍ଡକୁ ବଜାୟ ରଖିଥିଲେ। ଏହି ମାମଲାରେ ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଉପରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବାକୁ ରହିଛି।
