Cyclone Arnab :ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସଜାଗ ନବରଙ୍ଗପୁର ପ୍ରଶାସନ। ୧୧ ହଜାର ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ପ୍ରସ୍ତୁତ।
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସତର୍କ ହୋଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବ୍ୟବସ୍ଥାର ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ନୋଡାଲ ଅଫିସର ଡାକ୍ତର ମହେଶ୍ୱର ସ୍ୱାଇଁ ଏବଂ ଜିଲ୍ଲାପାଳ ମଧୁମିତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାର ବନ୍ୟାପ୍ରବଣ ଅଞ୍ଚଳ ଓ ଦୁର୍ବଳ ଘରେ ରହୁଥିବା ପ୍ରାୟ ୧୧ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଥିଲା। ସେହିପରି ୩୨୦ ଜଣ ଆସନ୍ନ ପ୍ରସବାଙ୍କ ମଧ୍ୟରୁ ୧୨୪ରୁ ଅଧିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ ୩ଟି ଓଡ୍ରାଫ୍ ଟିମ୍, ୧୨ଟି ଅଗ୍ନିଶମ ଦଳ, ୨୫୧ଟି ଯାନ, ଗୋଟିଏ ପାୱାର ବୋଟ୍ ଓ ୯ଟି ଡଙ୍ଗା ପ୍ରସ୍ତୁତ ରଖାଯାଇଛି। ଏଥିସହ ଜିଲ୍ଲାରେ ୧୦ଟି ସ୍ଥାୟୀ ବହୁମୁଖୀ ଆଶ୍ରୟସ୍ଥଳୀ ଓ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।ଜରୁରୀ ପରିସ୍ଥିତିରେ ତ୍ୱରିତ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ଜରୁରୀକାଳୀନ ସହାୟତା ପାଇଁ ୦୬୮୫୮-୨୨୨୪୩୪ ନମ୍ବର ଜାରି କରାଯାଇଛି।ବାତ୍ୟାଜନିତ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ସହ ଜନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଜାରି ରଖିଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

