Cyclone Akwan Impact On Odisha:ବାତ୍ୟା ଆକଓ୍ୱାନ ପାଇଁ ଆଲର୍ଟରେ ଓଡ଼ିଶା
୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ୟାନମ୍ ନିକଟବର୍ତ୍ତୀ ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ରହିବା ଆଶଙ୍କା ରହିଛି।ଗଜପତିର ୧୪, କନ୍ଧମାଳର ୧୦୦ ଭୂସ୍ଖଳନ ପ୍ରବଣ ସ୍ଥାନରୁ ସ୍ଥାନାନ୍ତରିତ ହେବେ ଲୋକେ।

ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ‘ଆକୱାନ’। ଧୀରେ ଧୀରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିବା ଏହି ବାତ୍ୟା ଆଗାମୀ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ୟାନମ୍ ନିକଟବର୍ତ୍ତୀ ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ରହିବା ଆଶଙ୍କା ରହିଛି।ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣରେ ପ୍ରାୟ ୭୯୦ କିଲୋମିଟର ଦୂରରେ
ରହି ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।ବାତ୍ୟାର ପ୍ରଭାବରେ ୧୮ ତାରିଖରେ କେଉଁଝର, ମୟୁରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡା, କୋରାପୁଟ୍, ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି ୧୯ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି,ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ଆଶଙ୍କା ରହିଛି।
୨୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ୟେଲୋ ଆଲର୍ଟ ଜାରି ହୋଇଛି।୨୧ ତାରିଖରେ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଜାରି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ସହ ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ସୋନପୁର, କଳାହାଣ୍ଡି ଓ ମାଲକାନଗିରିରେ
ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଭେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୨ ନମ୍ବର ଦୂରବର୍ତ୍ତୀ ସତର୍କ ସୂଚନା ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେପଟେ ପାଣିପାଗର ଆକଳନକୁ ଦେଖିସରକାରଙ୍କ ବାତ୍ୟା ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେଲାଣି। ଗଜପତିର ୧୪, କନ୍ଧମାଳର ୧୦୦ ଭୂସ୍ଖଳନ ପ୍ରବଣ ସ୍ଥାନରୁ ସ୍ଥାନାନ୍ତରିତ ହେବେ ଲୋକେ। ଅବପାତ ଗଭୀର ଅବପାତରେ ପରିଣତ ହେଲାଣି. ଏହା ଆନ୍ଧ୍ର ଉପକୂଳକୁ ଛୁଇଁବ।ଯେତେ ସମୟ ସମୁଦ୍ର ମଧ୍ୟରେ ରହିବ ଅଧିକ ପ୍ରଭାବ ରହିବ। ୧୯ରୁ ବର୍ଷା ଆରମ୍ଭ ହେବ। ୧୯ରେ ଗଞ୍ଜାମ, ଗଜପତି ଏବଂ ପୁରୀ ଅରେଞ୍ଜ ଜୋନରେ ଅଛି।୨୦ ରେ ରାୟଗଡା, ମାଲକାନଗିରି, କୋରାପୁଟ, ବରଗଡ଼ ସୁନ୍ଦରଗଡ଼କୁ ବର୍ଷା ରହିଛି। ସ୍ଥାନାନ୍ତରିତ କାମ ଆରମ୍ଭ ହୋଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମତ୍ସ୍ୟଜୀବୀ ମାନେ ସମୁଦ୍ରରୁ ଫେରୁଛନ୍ତି। ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇଗଲାଣି। ରେଳ ବିଭାଗ ସହ ଯୋଗାଯୋଗରେ ଅଛୁ. ଓଡ୍ରାଫ ଅଗ୍ନିଶମ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିଯିବେ ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ ଆସନ୍ନ ବାତ୍ୟାକୁ ନେଇ ଚାଷୀଙ୍କ
ଭିତରେ ଛନକା ପଶିଛି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା ଅନୁସାରେ DLPC ବୈଠକରେ ତିନୋଟି ଜିଲ୍ଲାର ଧାନ ମଣ୍ଡି ଖୋଲିବା ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ୫ ଡିସେମ୍ବର, ସୁବର୍ଣ୍ଣପୁର ଜିଲ୍ଲାରେ ୧୧ ଡିସେମ୍ବର ଏବଂ ଭବାନୀପାଟଣାରେ ୧୪ ଡିସେମ୍ବରରେ ମଣ୍ଡି ଖୋଲାଯିବ। ଏହି ତିନୋଟି ତାରିଖ ଧାର୍ଯ୍ୟ ହୋଇଛି। ପୂର୍ବ ବ୍ୟବସ୍ଥା ଅନୁସାରେ ଧାନ କିଣାଯିବ। ତେବେ ମଣ୍ଡି ଖୋଲିବାରେ ବିଳମ୍ବ ହେବାର କାରଣ ହେଉଛି, ଚଳିତ ବର୍ଷ ଲଗାତାର ବର୍ଷା ଯୋଗୁଁ ଧାନ ଠିକ୍ ସମୟରେ ପାଚିପାରିନାହିଁ। ଧାନ ପାଚିଲେ ଯାଇ ଅମଳ ହେବ।
ଲଗାତାର ବର୍ଷା ଯୋଗୁଁ ଧାନ ଗଛ ପାଚିବାରେ ବିଳମ୍ବ, ଖରା ମଧ୍ୟ କମ୍ ହୋଇଛି। ଗତବର୍ଷ ଡିସେମ୍ବର ୧୫ ସୁଦ୍ଧା ମଣ୍ଡି ଖୋଲିଥିଲା। ଚଳିତ ବର୍ଷ ଡିସେମ୍ବର ୫ ତାରିଖରୁ ମଣ୍ଡି ଖୋଲିବାକୁ ଯାଉଛି। ଆଗାମୀ ୧୫ରୁ ୨୦ ଦିନରେ ଧାନ ପାଚି ଅମଳ ହେବ ବୋଲି ଆଶା କରାଯାଉଛି । ଆଗକୁ ବଡ଼ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି। ଦକ୍ଷିଣ ଓଡିଶାରେ ବର୍ଷା ହବାର ସମ୍ଭାବନା ରହିଛି। ଧାନ ଏପର୍ଯ୍ୟନ୍ତ ଠିକ୍ ଭାବେ ପାଚିନାହିଁ। ଯଦି ପୁଣି ବର୍ଷା ହୁଏ, ତେବେ ଧାନ ଝଡ଼ିଯିବ କିମ୍ବା ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ପରିସ୍ଥିତିରେ କ'ଣ ପଦକ୍ଷେପ
ନିଆଯାଇପାରିବ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ବଳସାମନ୍ତ।

