Cuttack Police Viral Video: କଟକରେ ଭସାଣି ବେଳେ ପୋଲିସ ବାବୁଙ୍କ ଦବଙ୍ଗଗିରି
ଆଇନ ଶୃଙ୍ଖଳା ରକ୍ଷାର ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ଆଚରଣକୁ ନେଇ ଏବେ ଉଠିଛି ପ୍ରଶ୍ନ। କଟକ ଦଶହରା ଭସାଣି ବେଳର ଏକ ଭାଇରାଲ ଭିଡିଓକୁ ନେଇ ଅସନ୍ତୋଷ ତେଜିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
କଟକ: ଭସାଣି ଶୋଭାଯାତ୍ରା ବେଳେ ପୋଲିସ ଅଧିକାରୀଙ୍କ ଦବଙ୍ଗଗିରି | ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତଣ୍ଟିଆ ମାରି ତଳେ ପକାଇବା ଏବଂ ପରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କଟକର ଦଶହରା ମେଢ଼ ବିସର୍ଜନ ସମୟର ଏହି ଭିଡିଓକୁ ନେଇ ପୋଲିସର ଆଚରଣ ଉପରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, କଟକ ଦେବୀଗଡ଼ା ନିକଟରେ ଭସାଣି ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ବିଡ଼ାନାସୀ ଥାନାର ଆଇଆଇସି ଅସିତ ବଳବନ୍ତରାୟ ଜଣେ ପୂଜା କମିଟି ସଦସ୍ୟଙ୍କୁ ଅଟକାଇଥିଲେ। ଯୁବକ ଜଣକ ମେଢ଼ ବିସର୍ଜନ ପାଇଁ ଦେବୀଗଡ଼ା ତଳକୁ ଯାଉଥିବା ବେଳେ ଅଧିକାରୀ ତାଙ୍କୁ ଏହା କେଉଁ ସାହିର ମେଢ଼ ବୋଲି ପଚାରିଥିଲେ। ଏହାପରେ ହଠାତ୍ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତଣ୍ଟିଆ ମାରି ତଳେ ପକାଇଥିବା ଭିଡିଓରେ ଦେଖାଯାଉଛି। ପରେ ତାଙ୍କୁ ଗୋଡ଼ାଇ ମାଡ଼ ମାରୁଥିବା ଦୃଶ୍ୟ ମଧ୍ୟ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ବିଡ଼ାନାସୀ ସାହିର ଶତାଧିକ ବାସିନ୍ଦା କଟକ ଡିସିପିଙ୍କୁ ଭେଟିଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।
ଭସାଣି ଭଳି ଜନଗହଳିପୂର୍ଣ୍ଣ ସମୟରେ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ। କିନ୍ତୁ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜଣେ ପୋଲିସ ଅଧିକାରୀଙ୍କ ଆଚରଣ ଏବଂ ନାଗରିକଙ୍କ ଅଧିକାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣାରେ ପୋଲିସ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।
