ହାଜତ ମୃତ୍ୟୁ- ଶ୍ରବଣ ମାମଲାର ତନାଘନା କରିବ ସିବିଆଇ
ନ୍ୟାୟିକ ତଦନ୍ତରେ ମୁଣ୍ଡରେ ଗଭୀର ଆଘାତରୁ ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଥିଲା। ଘଟଣାର ଅଢ଼େଇ ବର୍ଷ ପରେ ଯାଇ ପୁଲିସ ଜୁଲାଇ ୨୦୨୬ରେ ଏତଲା କଲା। ଶୁଣାଣୀ ବେଳେ ଛତିଶଗଡ଼ ପୁଲିସ ଓ ଡିଜିପିଙ୍କ କାର୍ଯ୍ୟଶୈଳୀ ଉପରେ କ୍ଷୋଭ ଝାଡ଼ିଥିଲେ ଅଦାଲତ। ଏତଲା ରୁଜୁ କରିବାରେ କାହିଁକି ଏତେ ବିଳମ୍ୱ ବୋଲି ପଚାରିଥିଲେ।

ପୁଲିସ କଷ୍ଟଡିକୁ ନେବାର ୩ ଦିନ ପରେ ମୃତ୍ୟୁ ହେଲା। ହେଲେ ହାଜତ ମୃତ୍ୟୁର ମାମଲା ପଞ୍ଜୀକରଣ ହେଲା ୨ ବର୍ଷ ପରେ। ଅର୍ଥାତ ହାଜତ ମୃତ୍ୟୁ ୨୦୨୪ରେ ହୋଇଥିଲା। ହେଲେ ଛତିଶଗଡ଼ ପୁଲିସ ଏତଲା କଲା ୨୦୨୬ରେ। ଛତିଶଗଡ଼ରେ ଶ୍ରବଣ ସୂର୍ଯ୍ୟବଂଶୀଙ୍କ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଲାଗି ଆଜି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବିକ୍ରମନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତ ପରିବାରକୁ ୪ ସପ୍ତାହ ଭିତରେ ୨୫ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ଦେବାକୁ ବି ଆଦେଶ ଦେଇଛନ୍ତି। ମାମଲାର ନିରପେକ୍ଷ ତଦନ୍ତ ଲାଗି ସିବିଆଇକୁ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ଲାଗି ଦେଇଛନ୍ତି ନିର୍ଦେଶ। ଛତିଶଗଡ଼ ଡିଜିପି ସପ୍ତାହକ ଭିତରେ ସ୍ୱତନ୍ତ୍ର ମେସେଞ୍ଜରଙ୍କ ଜରିଆରେ ସିବିଆଇ ନିର୍ଦେଶକଙ୍କୁ ସମସ୍ତ ଦସ୍ତାବିଜ୍ ପଠାଇବାକୁ କହିଛନ୍ତି ଅଦାଲତ। ଘଟଣା ଏମିତି। ଜାନୁଆରୀ ୨୦୨୪। ୩୪ ବର୍ଷୀୟ ଶ୍ରବଣ ସୂର୍ଯ୍ୟବଂଶୀଙ୍କ ପୁଲିସ ହାଜତରେ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ନ୍ୟାୟିକ ତଦନ୍ତରେ ମୁଣ୍ଡରେ ଗଭୀର ଆଘାତରୁ ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଥିଲା। ଘଟଣାର ଅଢ଼େଇ ବର୍ଷ ପରେ ଯାଇ ପୁଲିସ ଜୁଲାଇ ୨୦୨୬ରେ ଏତଲା କଲା। ଶୁଣାଣୀ ବେଳେ ଛତିଶଗଡ଼ ପୁଲିସ ଓ ଡିଜିପିଙ୍କ କାର୍ଯ୍ୟଶୈଳୀ ଉପରେ କ୍ଷୋଭ ଝାଡ଼ିଥିଲେ ଅଦାଲତ। ଏତଲା ରୁଜୁ କରିବାରେ କାହିଁକି ଏତେ ବିଳମ୍ୱ ବୋଲି ପଚାରିଥିଲେ। ବିଳାସପୁର ଜିଲ୍ଲାରେ ଅବକାରୀ ମାମଲାରେ ଶ୍ରବଣଙ୍କୁ ଥାନାକୁ ନେଇଥିଲା ପୁଲିସ। ୬ ଲିଟର ମହୁଲି ମଦ ଜବତ କରିଥିଲା ପୁଲିସ। ଜାନୁଆରୀ ୧୮, ୨୦୨୪ରେ ଗିରଫ ପରେ ଶ୍ରବଣଙ୍କୁ ବିଳାସପୁର କେନ୍ଦ୍ରୀୟ ଜେଲକୁ ପଠାଗଲା। ୨୧ରେ ତାଙ୍କ ଦେହ ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ୨୨ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କଷ୍ଟଡିକୁ ନେବାର ୩ ଦିନ ପରେ ଶ୍ରବଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଏର କରି ଅଭିଯୋଗ କରିଥିଲେ ଯେ, ପୁଲିସ ନିର୍ଯାତନାରୁ ଶ୍ରବଣଙ୍କ ମୃତ୍ୟୁ ହୋଇଛି। ଆବେଦନକାରୀ ଆଗ ଛତିଶଗଡ଼ ହାଇକୋର୍ଟରେ ନ୍ୟାୟ ଦାବି କରିଥିଲେ। ହାଜତମୃତ୍ୟୁରେ ନିରପେକ୍ଷ ତଦନ୍ତ ଓ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ହେଲେ ହାଇକୋର୍ଟ ଏତଲା ରୁଜୁ କରିବା ବା ଏହାର ସ୍ୱତନ୍ତ୍ର ତଦନ୍ତ ନିର୍ଦେଶ ନ ଦେଇ ପରିବାରକୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ପରିବାର ଲୋକେ ଚ୍ୟାଲେଞ୍ଜ୍ କରିଥିଲେ। ସୁପ୍ରିମକୋର୍ଟ ନିଜ ପୂର୍ବ ଆଦେଶରେ କହିଥିଲେ ଯେ, ଲକ୍ଷେ ଟଙ୍କାର କ୍ଷତିପୂରଣ ସମ୍ପୂର୍ଣ୍ଣ ଅପର୍ଯ୍ୟାପ୍ତ। ଏହା ମୃତକଙ୍କ ପରିବାରକୁ ହୋଇଥିବା କ୍ଷତି ବା ଗମ୍ଭୀରତାର ଅନୁରୂପ ନୁହେଁ। ଗୃହ ସଚିବ ଓ ଡିଜିପିଙ୍କୁ ଭିସି ଜରିଆରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ଅଧିକାରୀ ହାଜର ହୋଇ ଯେଉଁ ଉତ୍ତର ଦେଇଥିଲେ, ସେଥିରେ ସନ୍ତୁଷ୍ଟ ନଥିଲେ କୋର୍ଟ। ଯେବେ ଡିଜିପି କହିଥିଲେ, ନ୍ୟାୟିକ ତଦନ୍ତ ରିପୋର୍ଟ ପୁଲିସ ବିଭାଗକୁ ପ୍ରାପ୍ତ ହୋଇନି। ସେଥିଲାଗି ଏତଲା କରିବାରେ ବିଳମ୍ୱ ହେଲା। ହେଲେ ଏ ତର୍କକୁ ଅଦାଲତ ସ୍ୱୀକାର କରିନଥିଲେ।
