କାନ୍ଦିଲେ ରୋନାଲଡୋ- ବିଶ୍ୱକପ ଅଭିଯାନ ଶେଷ
ମ୍ୟାଚ ହାରିବା ପରେ ରୋନାଲଡୋଙ୍କ ଚେହେରାରେ ଥିବା ଉଦାସୀନତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା।ସ୍ପେନଠୁ ହାରିବା ପରେ ଏଥର ଦୀର୍ଘ ଦୁଇ ଦଶନ୍ଧିର ଲମ୍ୱା ବିଶ୍ୱକପ ଅଭିଯାନରେ ଲାଗିଛି ବ୍ରେକ୍। ଇଣ୍ଟରନାସନାଲ ଫୁଟବଲରୁ ସନ୍ୟାସ ନେବା ଲାଗି ସେ କୌଣସି ବିଧିବଦ୍ଧ ଘୋଷଣା କରିନାହାନ୍ତି ଅବଶ୍ୟ।

କାନ୍ଦିଲେ ରୋନାଲଡୋ। ଭାଙ୍ଗିଗଲା ବିଶ୍ୱକପ୍ ଟ୍ରଫି ସ୍ୱପ୍ନ। ସ୍ପେନଠୁ ୧-୦ରେ ହାରି ପର୍ତ୍ତୁଗାଲ ଟିମର ବିଶ୍ୱକପ ଅଭିଯାନ ସରିଲା। ଡଲାସ ଷ୍ଟାଡିୟମରେ ହୋଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ହାରିଗଲା ପର୍ତ୍ତୁଗାଲ। ସ୍ପେନ ଏହି ଜିତ ସହ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ସହ ପର୍ତ୍ତୁଗାଲ ବିଶ୍ୱକପରୁ ବିଦା ହୋଇଗଲା। ମ୍ୟାଚର ଏକମାତ୍ର ଗୋଲ୍ ସ୍ପେନ ପାଇଁ ମିକେଲ ମେରିନୋ କରିଥିଲେ। ଏହି ଗୋଲ୍ ଅତିରିକ୍ତ ଟାଇମ (୯୦+ ୧) ମିନିଟରେ ହୋଇଥିଲା। ମେରିନୋ ସବଷ୍ଟିଚ୍ୟୁଡ ଖେଳାଳୀ ଭାବେ ମୈଦାନକୁ ଓହ୍ଲାଇଥିଲେ। ଏହି ଗୋଲ ହିଁ ସ୍ପେନକୁ କ୍ୱାର୍ଟର ଫାଇନାଲରେ ପହଞ୍ଚାଇଦେଲା। ସ୍ପେନ ବିରୁଦ୍ଧରେ ଏହି ଫିଫା ବିଶ୍ୱକପରେ ଏଯାଏଁ କୌଣସି ଟିମ୍ ଗୋଲ କରିପାରିନି। ୧୬ ବର୍ଷ ପରେ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ପେନ୍। ସ୍ପେନ୍ ୨୦୧୦ ଫିଫା ବିଶ୍ୱକପ ବିଜେତା। ଚାମ୍ପିଅନ ହେବାର ୧୬ ବର୍ଷ ପରେ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ପେନ୍। ସେପଟେ ୪୧ ବର୍ଷୀୟ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଏହା ଶେଷ ବିଶ୍ୱକପ ଥିଲା। ପର୍ତ୍ତୁଗାଲ ପାଇଁ ୫ଟି ମ୍ୟାଚରେ ରୋନଲଡୋ ୩ଟି ଗୋଲ କରିଛନ୍ତି। ଏଥିରୁ ଦୁଇଟି ଗୋଲ ପ୍ରଥମ ଥର ବିଶ୍ୱକପ ଖେଳୁଥିବା ଉଜବେକିସ୍ତାନ ବିରୁଦ୍ଧରେ ଥିଲା। ଆଉ ଏକ ଗୋଲ କ୍ରୋଏସିଆ ବିରୁଦ୍ଧରେ ପେନାଲଟି ଦେଇଥିଲେ। ପର୍ତ୍ତୁଗାଲର ସୁପରଷ୍ଟାର ରୋନାଲଡୋଙ୍କ ଷଷ୍ଠ ଓ ଶେଷ ବିଶ୍ୱକପ ଅଭିଯାନ ରାଉଣ୍ଡ ଅଫ-୧୬ରେ ସରିଗଲା। ରୋନାଲଡୋଙ୍କ ଗୋଲକୁ ସ୍ପେନର ଗୋଲକିପର ଉନାଇ ସିମୋନ ଦୁଇ ଥର ଅଟକାଇବାରେ ସଫଳ ହୋଇଥିଲେ। ମ୍ୟାଚ ହାରିବା ପରେ ରୋନାଲଡୋଙ୍କ ଚେହେରାରେ ଥିବା ଉଦାସୀନତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ତଥାପି ଫ୍ୟାନ୍ସଙ୍କ ଆଡ଼କୁ ହାତ ହଲାଇ ସେ କୃତଜ୍ଞତା ଜଣାଇବାକୁ ଭୁଲିନଥିଲେ। ମ୍ୟାଚର ଦିନକ ଆଗରୁ ସାମ୍ୱାଦିକଙ୍କ ସହ ପ୍ରାୟ ୨୫ ମିନିଟ କଥା ହୋଇ ରୋନାଲଡୋ କହିଥିଲେ, ସେ ଆଶାବାଦୀ ଯେ ଏହି ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ନ ହେଉ। ସେ ନିଜ ଶେଷ ବିଶ୍ୱକପକୁ ପୁରା କରି ଜିତିବାକୁ ଚାହୁଁଛନ୍ତି। ହେଲେ ନିରାଶ କରିଦେଲା ସ୍ପେନ୍। ସ୍ପେନ ଏହି ଜିତ୍ ସହ ଏକ ନୂଆ ରେକର୍ଡ କରିଛି। ଲଗାତାର ଷଷ୍ଠ ଥର ନିଜ ଗୋଲପୋଷ୍ଟକୁ କ୍ଲିନ ସିଟ୍ ରଖିପାରିଲା। ଅର୍ଥାତ୍ ଆଜି ଯାଏ କୌଣସି ପ୍ରତିପକ୍ଷ ଟିମଠୁ ଗୋଲ ଖାଇନି। ଯାହା ବିଶ୍ୱକପରେ ସବୁଠୁ ବଡ଼ ରେକର୍ଡ। ଏହା ପୂର୍ବରୁ ଏହି ରେକର୍ଡ ଇଟାଲି ଓ ସ୍ୱିଜରଲ୍ୟାଣ୍ଡ ନାଁରେ ଥିଲା। ଗୋଲକିପର ସିମୋନ ଲଗାତାର ୬୦୯ ମିନିଟ ଯାଏ କୌଣସି ଗୋଲ ନ ଖାଇବାର ରେକର୍ଡ ରଚିଲେ। ଏଭଳି କରି ଇଟାଲିର ପ୍ରଖ୍ୟାତ ଗୋଲକିପର ଓ୍ୱାଲଟର ଜେଙ୍ଗାଙ୍କ ୧୯୯୦ ରେକର୍ଡକୁ ଭାଙ୍ଗିଦେଲେ। ବିଶ୍ୱକପ ଅନ୍ତରାଷ୍ଟ୍ରୀୟ ଫୁଟବଲରେ ସର୍ବାଧିକ ୧୪୬ ଗୋଲ କରିଛନ୍ତି ରୋନାଲଡୋ। ବିଶ୍ୱକପରେ ତାଙ୍କର ମୋଟ୍ ଗୋଲ ସଂଖ୍ୟା ୧୧। କ୍ୟାରିଅର ଲିଷ୍ଟରେ ନବମ ନମ୍ୱର। ୨୦୦୬ ନିଜର ଡେବ୍ୟୁ ବିଶ୍ୱକପରେ ରୋନାଲଡୋ ସେମିଫାଇନାଲ ଯାଏ ପହଞ୍ଚିଥିଲେ। ତାହା ତାଙ୍କର ସବୁଠୁ ଉତ୍କୃଷ୍ଟ ପ୍ରଦର୍ଶନ ବି ଥିଲା। ହେଲେ ସ୍ପେନଠୁ ହାରିବା ପରେ ଏଥର ଦୀର୍ଘ ଦୁଇ ଦଶନ୍ଧିର ଲମ୍ୱା ବିଶ୍ୱକପ ଅଭିଯାନରେ ଲାଗିଛି ବ୍ରେକ୍। ଇଣ୍ଟରନାସନାଲ ଫୁଟବଲରୁ ସନ୍ୟାସ ନେବା ଲାଗି ସେ କୌଣସି ବିଧିବଦ୍ଧ ଘୋଷଣା କରିନାହାନ୍ତି ଅବଶ୍ୟ। ରୋନାଲଡୋ କହିଛନ୍ତି, ସେ ଖୁବ ଆତ୍ମବିଶ୍ୱାସ ସହ ଖେଳିଲେ। ଏହା ତାଙ୍କର ଶେଷ ବିଶ୍ୱକପ ଥିଲା। ସେ ଏବେ ନିଜ ପରିବାର ସହ ସମୟ ବିତାଇବାକୁ ଚାହୁଁଛନ୍ତି। ସେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନେବାକୁ ଚାହୁଁନାହାନ୍ତି। ପରାଜୟର ଗ୍ଳାନି ଓ ନିରାଶ ମନୋଭାବର ଆଳରେ ସେ ନିଜ ଭବିଷ୍ୟତ ବାବଦରେ କୌଣସି ନିଷ୍ପତ୍ତି ଜଲଦି ନେବେନି। କ୍ରିଷ୍ଟିଆନୋଙ୍କ ନେତୃତ୍ୱରେ ପର୍ତ୍ତୁଗାଲ ୟୁରୋ ୨୦୧୬ କପ୍ ଜିତି ଇତିହାସ ରଚିଥିଲା। ଏହା ପରେ ଟିମ୍ ୨୦୧୯ ଓ ୨୦୨୫ରେ ୟୁଇଏଫଏ ନାସନାଲ ଲିଗ୍ ଟ୍ରଫି ନିଜ ନାଁରେ କରିଥିଲା। କ୍ଲବ ଓ ଇଣ୍ଟରନାସନାଲ ଫୁଟବଲରେ ପ୍ରାୟ ସମସ୍ତ ଉପଲବ୍ଧି ହାସଲ କରିଛନ୍ତି। ୫ ଥର ବୈଲନ ଡିଓର ଜିତିଛନ୍ତି। ଅଗଣିତ ରେକର୍ଡ ନିଜ ନାଁରେ କରିଛନ୍ତି ରୋନାଲଡୋ। କିନ୍ତୁ ଏଥର ବିଶ୍ୱକପ୍ ଟ୍ରଫି ନିଜ ହାତରେ ଧରିବାର ସ୍ୱପ୍ନ ଚୁରମାର ହୋଇଗଲା।
