College Student Protest:ରାସ୍ତାକୁ ଓହ୍ଲାଇଲେ ମେଡିକାଲ କଲେଜ ଛାତ୍ରଛାତ୍ରୀ
ହଷ୍ଟେଲରେ ପାଣି ଓ ବିଦ୍ୟୁତ୍ ସମସ୍ୟା, ଅଧ୍ୟାପକ ଅଭାବରୁ ନୂଆ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ ପର୍ଯ୍ୟନ୍ତ ଉଠିଲା ଅନେକ ପ୍ରଶ୍ନ। ଛାତ୍ରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଗକୁ ଆସିଲା ବିଜୁ ଯୁବ ଜନତା ଦଳ।
କଳାହାଣ୍ଡି:ମୌଳିକ ସୁବିଧାର ଅଭାବକୁ ନେଇ ତେଜିଲା ଛାତ୍ର ଅସନ୍ତୋଷ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇଥିଲେ ଛାତ୍ରଛାତ୍ରୀ। ଦୀର୍ଘଦିନ ଧରି ହଷ୍ଟେଲରେ ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ସହ ଶିକ୍ଷା, କ୍ୟାମ୍ପସର ସୁରକ୍ଷା ଏବଂ ହସ୍ପିଟାଲର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବି ମଧ୍ୟରେ ହଷ୍ଟେଲର ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣ, ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ, କ୍ୟାମ୍ପସରେ ଆଲୋକୀକରଣ ଓ ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଆଦି ରହିଛି। ଏହାସହ ଖେଳପଡ଼ିଆର ଉନ୍ନତିକରଣ, ଜିମ୍ନାସିୟମ ପାଇଁ ଆବଶ୍ୟକ ଉପକରଣ, ଖାଲି ପଡ଼ିଥିବା ପ୍ରାଧ୍ୟାପକ ପଦବୀ ପୂରଣ ଏବଂ ନୂତନ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରିବାକୁ ଦାବି ହୋଇଛି।ଦୀର୍ଘ ସମୟ ପରେ ଭବାନୀପାଟଣା ଉପଜିଲ୍ଲାପାଳ ଆନ୍ଦୋଳନସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ଦାବିଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହାର କରିଥିଲେ ଛାତ୍ରଛାତ୍ରୀ। ତେବେ ନିର୍ଦ୍ଧାରିତ ସମୟରେ ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଦାବିକୁ ସମର୍ଥନ ଜଣାଇଛି ବିଜୁ ଯୁବ ଜନତା ଦଳ। ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ପଡ଼ୋଶୀ ଜିଲ୍ଲାର ହୋଇଥିଲେ ମଧ୍ୟ କଳାହାଣ୍ଡିର ସ୍ୱାସ୍ଥ୍ୟସେବା ଓ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ସମସ୍ୟା ଅଣଦେଖା ହୋଇ ରହିଛି। ମନ୍ତ୍ରୀ ବାରମ୍ବାର ଜିଲ୍ଲା ଗସ୍ତ କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ଠୋସ୍ ପଦକ୍ଷେପ ନିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ପୂର୍ବରୁ ଡାକ୍ତରଙ୍କ ଅବହେଳା ଯୋଗୁଁ ରଞ୍ଜି ରଞ୍ଜନ ଦାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରିଛି ଦଳ। ଆସନ୍ତା ଶୁକ୍ରବାର ମେଡିକାଲ କଲେଜର ଡିନ୍ ଓ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଅବିନାଶ ଠାକୁର ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
