Jaundice Cases: କଟକରେ ଜଣ୍ଡିସ୍ ଆତଙ୍କ! ସଫା ପଞ୍ଚାୟତରେ ୧୫ରୁ ଅଧିକ ପଜିଟିଭ୍, ଶିଶୁଙ୍କୁ ଅଧିକ ସଂକ୍ରମଣ ଅଭିଯୋଗ
କଟକ ଜିଲ୍ଲା ସଫା ପଞ୍ଚାୟତରେ ଜଣ୍ଡିସ୍ ଆତଙ୍କ। ୬୦ରୁ ୭୦ ଜଣଙ୍କ ରକ୍ତ ନମୁନାରୁ ୧୫ରୁ ଅଧିକ ପଜିଟିଭ୍। ଶିଶୁଙ୍କ ସଂକ୍ରମଣକୁ ନେଇ ଚିନ୍ତା।
କଟକ: କଟକ ଜିଲ୍ଲା ସଫା ପଞ୍ଚାୟତରେ ମାଡ଼ିଲାଣି ଜଣ୍ଡିସ୍ ଆତଙ୍କ। ମହାନ୍ତିସାହି, ସଫା ଓ ସପନପୁର ଗାଁରେ ଜଣ୍ଡିସ୍ ସଂକ୍ରମଣକୁ ନେଇ ଦେଖାଦେଇଛି ଭୟର ବାତାବରଣ। ବିଶେଷ କରି ଶିଶୁବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା କୁନି କୁନି ପିଲାମାନେ ଅଧିକ ସଂକ୍ରମିତ ହେଉଥିବା ଅଭିଯୋଗ ହୋଇଛି। ଗାଁକୁ ଯୋଗାଣ ହେଉଥିବା ପାଇପ୍ ପାଣି ଏବଂ ବିଦ୍ୟାଳୟର କୂଅ ପାଣିକୁ ଜଣ୍ଡିସ୍ ବ୍ୟାପିବାର ସମ୍ଭାବ୍ୟ କାରଣ ବୋଲି ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଛି। ପ୍ରାୟ ୬୦ରୁ ୭୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ସେଥିରୁ ୧୫ରୁ ଅଧିକ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କୁ ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି। ତେବେ ଜଣ୍ଡିସ୍ ବ୍ୟାପିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।
କେବଳ ରକ୍ତ ନମୁନା ସଂଗ୍ରହ ଓ ଔଷଧ ବଣ୍ଟନରେ ବିଭାଗ ନିଜ ଦାୟିତ୍ୱ ସାରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ପାଇପ୍ ଯୋଗେ ଆସୁଥିବା ପାଣିର ଗୁଣବତ୍ତା ଯାଞ୍ଚ ହୋଇଛି କି ନାହିଁ, ବିଦ୍ୟାଳୟର କୂଅ ପାଣି ପାନୀୟ ଉପଯୋଗୀ କି ନୁହେଁ, ତାହାକୁ ନେଇ ଉଠିଛି ପ୍ରଶ୍ନ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଙ୍ଗୀ-ଚୌଦ୍ୱାର ବିଡିଓ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି। ଅଞ୍ଚଳର ସ୍ଥିତି ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଗୋଟିଏ ପଟେ ଜଣ୍ଡିସ୍ ସହ ଲଢ଼ୁଛନ୍ତି କୁନି କୁନି ପିଲା, ଅନ୍ୟପଟେ ଅଭିଭାବକଙ୍କ ମନରେ ବଢ଼ୁଛି ଚିନ୍ତା। କେବଳ ରୋଗୀ ଚିହ୍ନଟ କିମ୍ବା ଔଷଧ ବଣ୍ଟନ ନୁହେଁ, ସଂକ୍ରମଣର ପ୍ରକୃତ କାରଣ ଖୋଜିବା ଏବେ ଜରୁରୀ ହୋଇପଡ଼ିଛି। ପାଣିର ନମୁନା ପରୀକ୍ଷା, ପାଇପ୍ ଲାଇନ୍ ଯାଞ୍ଚ ଓ ବିଦ୍ୟାଳୟର କୂଅ ପାଣିର ଶୁଦ୍ଧତା ଯାଞ୍ଚ କରିବାକୁ ଦାବି ହେଉଛି। ନଚେତ୍ ଆଗକୁ ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ।
