Odisha Assembly: ଶୀତ ଅଧିବେଶନର ପ୍ରଥମ ଦିନରୁ ହଙ୍ଗାମା, ଚାଲିପାରିଲାନି ପ୍ରଶ୍ନକାଳ
ଶୀତ ଅଧିବେଶନର ପ୍ରଥମ ଦିନରୁ ଅଚଳ ଓଡ଼ିଶା ବିଧାନସଭା। କୋଟିଆ ଓ ବନ୍ୟା ପ୍ରସଙ୍ଗରେ ବିଜେଡି, କଂଗ୍ରେସର ହୋହଲ୍ଲା। ଚାଲିପାରିଲାନି ପ୍ରଶ୍ନକାଳ। ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା।

ଭୁବନେଶ୍ୱର: ଆରମ୍ଭରୁ ଅଚଳ ବିଧାନସଭା। ଶୀତ ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ଦେଖିବାକୁ ମିଳିଛି ହଟ୍ଟଗୋଳ ଓ ହୋହଲ୍ଲା। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହ ମଧ୍ୟଭାଗକୁ ଆସି ବିରୋଧୀ ବିଧାୟକମାନେ ପ୍ରତିବାଦ କରିଥିଲେ। ଫଳରେ ଚାଲିପାରିନଥିଲା ପ୍ରଶ୍ନକାଳ। କୋଟିଆ ପ୍ରସଙ୍ଗରେ ସରକାରଙ୍କ ନୀରବତାକୁ ନେଇ କଂଗ୍ରେସ ବିଧାୟକମାନେ ପ୍ରଶ୍ନ ଉଠାଇଥିବା ବେଳେ ବନ୍ୟା ମୁକାବିଲାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବର୍ଷିଥିଲା ବିଜେଡି। ବିରୋଧୀ ବିଧାୟକମାନେ ପ୍ଲାକାର୍ଡ ଓ ବ୍ୟାନର ଦେଖାଇବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାକୁ ନେଇ ଗୃହରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଅନ୍ୟପଟେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ କଡ଼ା ଜବାବ ରଖିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ। ବିଜେଡି ଜାଣିଶୁଣି ବିଧାନସଭାକୁ ଅଚଳ କରୁଥିବା ସେ ଅଭିଯୋଗ କରିଥିଲେ। ବିଧାନସଭା ଚଳାଇ ନଦେବା ବିରୋଧୀଙ୍କ ଉଦ୍ଦେଶ୍ୟ ବୋଲି କହିବା ସହ ଆଲୋଚନା ଚାଲିଥିବା ବେଳେ ତାହା ଶୁଣିବା ପାଇଁ ବିରୋଧୀଙ୍କ ଧୈର୍ଯ୍ୟ ନାହିଁ ବୋଲି ସେ କହିଥିଲେ। ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପ୍ରଥମେ ଅପରାହ୍ଣ ୪ଟା ଏବଂ ପରେ ଆସନ୍ତାକାଲି ସକାଳ ୧୦:୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
