Cyclone Akwan Odisha Alert : କେଉଁଠି ଲ୍ୟାଣ୍ଡଫଲ୍, କେଉଁଠି ତାଣ୍ଡବ? ‘ଅକ୍ୱାନ’କୁ ନେଇ ବଢ଼ିଲା ଆଶଙ୍କା
ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ‘ଅକ୍ୱାନ’। ଉପକୂଳ ମୁହାଁ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା। କେଉଁ ଜିଲ୍ଲାକୁ କେତେ ବିପଦ? ମୁକାବିଲା ପାଇଁ କେତେ ପ୍ରସ୍ତୁତ ରାଜ୍ୟ ସରକାର?

ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଅକ୍ୱାନ’। ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଏହି ବାତ୍ୟାକୁ ନେଇ ବଢ଼ିଛି ଚିନ୍ତା। ପାଣିପାଗ ବିଭାଗର ଆକଳନ ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିଛି ବାତ୍ୟା। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୭୧୦ କିଲୋମିଟର ଏବଂ ପୁରୀଠାରୁ ୭୭୦ କିଲୋମିଟର ଦକ୍ଷିଣରେ ରହିଛି। ନଭେମ୍ବର ୧୯ ତାରିଖ ମଧ୍ୟାହ୍ନ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ଗୋପାଳପୁର ଏବଂ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଅତିକ୍ରମ କରିପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ଏବଂ ଝଟକା ପବନର ବେଗ ୧୧୦ କିଲୋମିଟର ରହିବା ଆଶଙ୍କା ରହିଛି।
ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି। ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ସମେତ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିପାରେ।
ନଭେମ୍ବର ୧୯ ତାରିଖ ପାଇଁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ସେହିପରି ନଭେମ୍ବର ୨୦ରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଏବଂ କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, ପୁରୀ, ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷା ସତର୍କତା ରହିଛି।
ବର୍ଷା ସହ ପବନର ବେଗ ମଧ୍ୟ ବଢ଼ିବା ଆଶଙ୍କା ରହିଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୭୦ କିଲୋମିଟର ଛୁଇଁପାରେ। ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ବର୍ଷା ଓ ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି।ଏପଟେ ବାତ୍ୟା ମୁକାବିଲା ପାଇଁ ପାନୀୟ ଜଳ ଯୋଗାଣ ବିଭାଗ ମଧ୍ୟ ପ୍ରସ୍ତୁତି ଜୋରଦାର କରିଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକଙ୍କ ସୂଚନା ଅନୁସାରେ, ରାଜ୍ୟରେ ଥିବା ୫ ଲକ୍ଷ ୪୬ ହଜାର ୪୭୦ଟି ନଳକୂପ ଏବଂ ୨୬ ହଜାର ସୌରଚାଳିତ ଜଳ ପ୍ରକଳ୍ପକୁ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ଓ ପ୍ରଭାବିତ ଅଞ୍ଚଳରେ ଜଳଯୋଗାଣ ପାଇଁ ୮୦୦ଟି ଟ୍ୟାଙ୍କର, ୧,୦୦୦ଟି ସିନ୍ଟେକ୍ସ ଟାଙ୍କି ଏବଂ ୮୦୦ଟି ଲୋଡିଂ ପଏଣ୍ଟ ଚିହ୍ନଟ କରାଯାଇଛି। ଦୁର୍ଗମ ଅଞ୍ଚଳରେ ଜରୁରୀକାଳୀନ ବଣ୍ଟନ ପାଇଁ ୭ ଲକ୍ଷ ୫୭ ହଜାରରୁ ଅଧିକ ପାଣି ବୋତଲ ମହଜୁଦ ରହିଛି।
ଏହାସହ ଜଳ ଉତ୍ସଗୁଡ଼ିକର ବିଶୋଧନ ପାଇଁ ୮ ହଜାର ବସ୍ତା ବ୍ଲିଚିଂ ପାଉଡର ଓ ୧୩ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତ୍ ବିଭ୍ରାଟ ହେଲେ ମଧ୍ୟ ଜଳଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ପମ୍ପିଂ ଷ୍ଟେସନଗୁଡ଼ିକରେ ୪୦୦ଟି ଡିଜି ସେଟ୍ ରଖାଯାଇଛି। ତ୍ୱରିତ ମରାମତି ଓ ପୁନରୁଦ୍ଧାର ପାଇଁ ଇଲେକ୍ଟ୍ରିକାଲ୍ ମେକାନିକ୍ ଏବଂ ପ୍ଲମ୍ବରଙ୍କୁ ନେଇ ଜରୁରୀକାଳୀନ ରେସ୍ପନ୍ସ ଟିମ୍ ଗଠନ ହୋଇଛି।
ଅନ୍ୟପଟେ ବାତ୍ୟାର ଗତିପଥ ଓ ପ୍ରଭାବ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। IMDର ନୂଆ ଆକଳନ ଅନୁସାରେ, କଳିଙ୍ଗପାଟଣମ୍, ଗୋପାଳପୁର ଓ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ବିଭିନ୍ନ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। NDRF, ODRAF ଓ ଅଗ୍ନିଶମ ବାହିନୀକୁ ମଧ୍ୟ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।
ବାତ୍ୟା ପରିଚାଳନା ଓ ପ୍ରସ୍ତୁତି ତଦାରଖ ପାଇଁ ଜିଲ୍ଲାୱାରି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଜଗତସିଂହପୁର ପାଇଁ ଯାମିନୀ ଷଡ଼ଙ୍ଗୀ, ପୁରୀ ପାଇଁ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାପଡ଼ା ପାଇଁ ସମୀର ପ୍ରଧାନ ଏବଂ ଗଜପତି ପାଇଁ ମାନସୀ ନିମ୍ଭାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଯୋଗାଯୋଗରେ ରହିଛନ୍ତି।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ମଧ୍ୟ ସତର୍କ ରହିଛି। ଦୁଇ ଦିନ ପୂର୍ବରୁ ବିଭିନ୍ନ ଡ୍ୟାମ୍ର ଗେଟ୍ ଖୋଲାଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଋଷିକୁଲ୍ୟା ନଦୀର ଜଳ ପରିଚାଳନା ଉପରେ ମଧ୍ୟ ନଜର ରଖାଯାଇଛି। ସୋରଡ଼ା ଅଞ୍ଚଳରେ ନଦୀରେ ଘାଇ ସୃଷ୍ଟି ହୋଇଥିବା ସ୍ଥାନଗୁଡ଼ିକୁ ବାଲିବସ୍ତା ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି। ତେବେ ବନ୍ୟା ଆସିଲେ ପୁଣି ଏହି ଘାଇଗୁଡ଼ିକ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ସେଠାରେ ସରକାରୀ ଅଧିକାରୀଙ୍କୁ ମୁତୟନ କରାଯାଇଛି।
ବିଶେଷକରି ଗଞ୍ଜାମ, ଗଜପତି ଓ କନ୍ଧମାଳର ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ବାତ୍ୟାର ଗତିପଥ ଉପରେ ନଜର ରଖିବା ସହ ପ୍ରଶାସନ ପକ୍ଷରୁ ମୁକାବିଲା ପ୍ରସ୍ତୁତି ଜାରି ରହିଛି।
