Naveen Patnaik: ବାତ୍ୟା ମୁକାବିଲା ପାଇଁ ଓଡ଼ିଶାବାସୀଙ୍କୁ ନବୀନଙ୍କ ଅପିଲ୍, ସତର୍କ ଓ ସଜାଗ ରହିବାକୁ ଦେଲେ ପରାମର୍ଶ
ଓଡ଼ିଶାରେ ପୁଣି ବାତ୍ୟା ଆଶଙ୍କା। ରାଜ୍ୟବାସୀଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଅପିଲ୍ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ନେତା ଓ କର୍ମୀଙ୍କୁ ଲୋକଙ୍କ ପାଖରେ ରହି ସହଯୋଗ କରିବାକୁ ଆହ୍ୱାନ।
ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଥିବା ବେଳେ ରାଜ୍ୟବାସୀଙ୍କୁ ସତର୍କ ଓ ସଜାଗ ରହିବାକୁ ଅପିଲ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବାତ୍ୟାର ପ୍ରଭାବରେ ସମଗ୍ର ଓଡ଼ିଶା, ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ସତର୍କତା ଜାରି ହୋଇଥିବା ପରିପ୍ରେକ୍ଷୀରେ ସେ ଏହି ଆହ୍ୱାନ ଦେଇଛନ୍ତି। ନବୀନ କହିଛନ୍ତି ଯେ, ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଭଳି ଜିଲ୍ଲାର ଲୋକେ ବ୍ୟାପକ କ୍ଷତି ସହିଥିଲେ। ସେହି ଦୁର୍ଦ୍ଦଶା ସମସ୍ତଙ୍କୁ ମର୍ମାହତ କରିଛି। ତେଣୁ ଏଭଳି ବିପଦ ସମୟରେ ଲୋକେ ସତର୍କ ରହିବା ସହ ସୁରକ୍ଷିତ ରୁହନ୍ତୁ ଏବଂ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ସେ ଆହୁରି କହିଛନ୍ତି ଯେ, ମୁଁ ସବୁବେଳେ ଆପଣମାନଙ୍କ ସହ ଅଛି ଏବଂ ରହିଥିବି। ଏଥିସହ ବିଜେଡିର ସମସ୍ତ ନେତା ଓ କର୍ମୀଙ୍କୁ ଏହି ବିପଦ ସମୟରେ ଲୋକଙ୍କ ପାଖରେ ରହିବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନବୀନ ଅନୁରୋଧ କରିଛନ୍ତି। ସମସ୍ତଙ୍କ ସହଯୋଗ, ସତର୍କତା ଏବଂ ମହାପ୍ରଭୁଙ୍କ କରୁଣାରୁ ଓଡ଼ିଶା ଏହି ବିପଦକୁ ସଫଳତାର ସହ ମୁକାବିଲା କରିପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ନବୀନ ପଟ୍ଟନାୟକ।
