Anganwadi Development: ଗ୍ରାମାଞ୍ଚଳ ବିକାଶକୁ ମିଳୁଛି ନୂଆ ଦିଗ, ନଗୁଆଁରେ ଅଙ୍ଗନବାଡ଼ି ଓ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ
ଭଦ୍ରକ ଭଣ୍ଡାରିପୋଖରୀର ନଗୁଆଁ ପଞ୍ଚାୟତରେ ଅଙ୍ଗନବାଡ଼ି ଉନ୍ନତିକରଣ ଓ ପେଭର ରାସ୍ତା ନିର୍ମାଣ। ଦୁଇଟି ପ୍ରକଳ୍ପ ପାଇଁ ମୋଟ ୩.୮୫ ଲକ୍ଷ ଟଙ୍କାର ଅଟକଳ।
ଭଦ୍ରକ: ଗ୍ରାମାଞ୍ଚଳର ବିକାଶକୁ ମିଳୁଛି ନୂଆ ଦିଗ। ସରକାରଙ୍କ ବିଭିନ୍ନ ଯୋଜନାରେ ବଦଳୁଛି ଗାଁର ଭିତ୍ତିଭୂମି ଓ ବିକାଶର ଚିତ୍ର। ଏହି କ୍ରମରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅନ୍ତର୍ଗତ ନଗୁଆଁ ଗ୍ରାମପଞ୍ଚାୟତରେ ଆରମ୍ଭ ହୋଇଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ। ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ ସହ ଗମନାଗମନ ସୁବିଧାକୁ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। VBG.RAM-G ଯୋଜନା ଅଧୀନରେ ନଗୁଆଁ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ ଘର ଓ ବଗିଚା ନିର୍ମାଣ ପାଇଁ ୩୫ ହଜାର ଟଙ୍କାର ଅଟକଳ ରଖାଯାଇଛି। ଏହାଦ୍ୱାରା ଛୋଟ ପିଲାଙ୍କୁ ଉନ୍ନତ ଓ ସୁନ୍ଦର ପରିବେଶ ଯୋଗାଇଦେବା ସହ ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି। ଏହି ପଦକ୍ଷେପକୁ ସ୍ଥାନୀୟ ଗ୍ରାମବାସୀ ସ୍ୱାଗତ କରିଛନ୍ତି। କେବଳ ଶିଶୁଙ୍କ ସୁବିଧା ନୁହେଁ, ଗମନାଗମନ କ୍ଷେତ୍ରରେ ମଧ୍ୟ ନିଆଯାଇଛି ପଦକ୍ଷେପ। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆରଡି ରାସ୍ତାଠାରୁ ପେଭର ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କାର ଅଟକଳ ରହିଛି। ରାସ୍ତା ନିର୍ମାଣ ଶେଷ ହେଲେ ଗ୍ରାମବାସୀଙ୍କ ଯାତାୟାତ ସହ ଚାଷୀଙ୍କ ଗମନାଗମନ ମଧ୍ୟ ସହଜ ହେବ। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ ପାଇଁ ବିଭାଗୀୟ ଅଧିକାରୀ ଓ ଜେଇଙ୍କୁ ଦାୟିତ୍ୱ ଦିଆଯାଇଛି। ଭଣ୍ଡାରିପୋଖରୀ ବିଡିଓ ଦେବଦତ୍ତ ଦାସଙ୍କ କହିବା ଅନୁଯାୟୀ, ଏଭଳି ବିକାଶମୂଳକ କାର୍ଯ୍ୟ ମାଧ୍ୟମରେ ଗ୍ରାମାଞ୍ଚଳରେ ମୌଳିକ ସୁବିଧାର ବିକାଶକୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଯୋଜନାର ସୁଫଳ ଯଦି ଏହିଭଳି ତୃଣମୂଳ ସ୍ତରରେ ପହଞ୍ଚେ, ତେବେ ଗାଁର ଭିତ୍ତିଭୂମି ସୁଦୃଢ଼ ହେବା ସହ ଲୋକଙ୍କ ଜୀବନଧାରାରେ ମଧ୍ୟ ପରିବର୍ତ୍ତନ ଆସିବ। ନଗୁଆଁର ଏହି ବିକାଶମୂଳକ ପଦକ୍ଷେପ ଗ୍ରାମାଞ୍ଚଳର ସାମଗ୍ରିକ ଅଭିବୃଦ୍ଧି ପାଇଁ ଏକ ଆଶା ସୃଷ୍ଟି କରିଛି।
