Student Union Election:୯ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ- କ୍ୟାମ୍ପେନରେ କମ୍ପିବ କଲେଜ କ୍ୟାମ୍ପସ
୯ରେ ନାମାଙ୍କନ। ୧୫ରେ ଇଲେକ୍ସନ ଓ ୧୬ରେ ଶପଥ ଗ୍ରହଣ ଉତ୍ସବ। ୧୦ ଦିନ ଭିତରେ ସରିବ କଲେଜ ନିର୍ବାଚନ। ଦଶହରା ଛୁଟି ପୂର୍ବରୁ କଲେଜ ନିର୍ବାଚନ ସରିବ। ମନ୍ତ୍ରୀଙ୍କ ଏ ଘୋଷଣାକୁ ତାଳ ଦେଇ ରାଜଧାନୀର ବିଭିନ୍ନ କଲେଜରେ ଏ ନେଇ ଏକପ୍ରକାର ସେଲିବ୍ରେସନର ମାହୋଲ

୧୫ରେ ଛାତ୍ରସଂସଦ ନିର୍ବାଚନ। ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ୭ ତାରିଖରେ କଲେଜରେ ପ୍ରକାଶ ପାଇବ ବିଜ୍ଞପ୍ତି। ୯ରେ ନାମାଙ୍କନ। ୧୫ରେ ଇଲେକ୍ସନ ଓ ୧୬ରେ ଶପଥ ଗ୍ରହଣ ଉତ୍ସବ। ୧୦ ଦିନ ଭିତରେ ସରିବ କଲେଜ ନିର୍ବାଚନ। ଦଶହରା ଛୁଟି ପୂର୍ବରୁ କଲେଜ ନିର୍ବାଚନ ସରିବ। ମନ୍ତ୍ରୀଙ୍କ ଏ ଘୋଷଣାକୁ ତାଳ ଦେଇ ରାଜଧାନୀର ବିଭିନ୍ନ କଲେଜରେ ଏ ନେଇ ଏକପ୍ରକାର ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ପରେ କଲେଜ କ୍ୟାମ୍ପସ କମ୍ପିବ। ଛାତ୍ରଛାତ୍ରୀଙ୍କୁ ପ୍ରତିନିଧିତ୍ୱର ସୁଯୋଗ ମିଳିବ ବୋଲି କହିଛନ୍ତି ଆଶାୟୀ ଛାତ୍ର ନେତା। ବିଜେବି , ରାଜଧାନୀ କଲେଜରେ ଛାତ୍ରଛାତ୍ରୀ ଖୁସି ମନାଇଛନ୍ତି। ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବଶ୍ୱଜିତ ପାତ୍ର କହିଛନ୍ତି, ବିଜେପି ସରକାରକୁ ଆସିଲା ପରେ ଛାତ୍ରସଂସଦ ନିର୍ବାଚନ ଲାଗି ଘୋଷଣା ହେଲା। ଯେହେତୁ ନିର୍ବାଚନ ପାଇଁ ବିଦ୍ୟାର୍ଥୀ ପରିଷଦ ବାରମ୍ୱାର ଦାବି କରିଆସୁଥିଲା, ସେଥିଲାଗି ଏହା ବିଦ୍ୟାର୍ଥୀ ପରିଷଦର ବିଜୟ। ବିଜୁ ଛାତ୍ର ଜନତା ଦଳ ପାଖରେ ପ୍ରାର୍ଥୀ ନାହାନ୍ତି ଆଉ ଛାତ୍ର କଂଗ୍ରେସ ନିର୍ବାଚନରେ ଓହ୍ଲାଇବା ଆଗରୁ ହାର୍ ମାନିସାରିଲାଣି। ଏକତରଫା ଏବିଭିପିର ବିଜୟ ହେବ। ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, କଥା ଦେଇ କଥା ରଖିଲେ ମୋହନ ସରକାର। ଷଡ଼ଯନ୍ତ୍ର କରି ଛାତ୍ରସଂସଦ ନିର୍ବାଚନ ବନ୍ଦ କରିଥିଲା ବିଜେଡି। ଛାତ୍ର ନେତୃତ୍ୱର ବାଟ ଖୋଲିଛନ୍ତି ମୋହନ ସରକାର। ଛାତ୍ର ସଂସଦ ନିର୍ବାଚନ ହେଉନଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱର ପ୍ରଶାସନ ପାଖରେ ପହଞ୍ଚୁନଥିଲା। ନିର୍ବାଚନ ପୂର୍ବରୁ ଅସ୍ତ୍ର ପକାଇସାରିଲେଣି ବିଜେଡି ଓ କଂଗ୍ରେସ। କାରଣ ସେମାନଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି। ସେପଟେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି, ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୭୦ ପ୍ରତିଶତ କଲେଜରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ସରକାର ଭୟଭୀତ ଥିଲେ। ସେଥିଲାଗି ବହୁ ବିଳମ୍ୱର ଘୋଷଣା କରି ନିର୍ବାଚନ ପ୍ରସ୍ତୁତି ପାଇଁ ବହୁ କମ୍ ସମୟ ଦେଲେ। ଛାତ୍ର କଂଗ୍ରେସ ସଭାପତି ବିଭୂତି ମହାପାତ୍ର କହିଛନ୍ତି, ଯେଉଁମାନଙ୍କ ପାଖରେ ନେତୃତ୍ୱର ଦକ୍ଷତା ଅଛି, ଦଳ ସେମାନଙ୍କୁ ସୁଯୋଗ ଦେବ। ନିର୍ବାଚନ ପାଇଁ କମ୍ ସମୟ ଦେଇ ସରକାର ଯେଉଁ ଷଡ଼ଯନ୍ତ୍ର କରିଛନ୍ତି, ତାକୁ ସଫଳ ହେବାକୁ ଦେବୁନି। ୨୦୧୭ରୁ ବିଜେଡି ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରିଦେଇଥିଲେ। ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଛାତ୍ରସଂସଦ ନିର୍ବାଚନ କରାଇବ ବୋଲି ଦେଇଥିବା ପ୍ରତିଶୃତିକୁ ୨ ବର୍ଷ ଧରି ଶୀତଳଭଣ୍ଡାରରେ ପକାଇ ରଖିଥିଲା। ଏବିଭିପି ଆଶାୟୀଙ୍କୁ ଜିତାଇବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଯେଭଳି ସମସ୍ତ କଲେଜକୁ ହୁଇପ୍ ଜାରି କରିଛନ୍ତି, ତାହା ନିନ୍ଦନୀୟ। ନିରପେକ୍ଷ ନିର୍ବାଚନ ହେଉ।

