College Election Result:ଭଦ୍ରକର ଦୁଇ କଲେଜରେ ବିସିଜେଡିର ବାଜିମାତ୍
ଭଦ୍ରକ ଜିଲ୍ଲାର ଦୁଇ ପ୍ରମୁଖ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମସ୍ତ ଆସନ ଜିତିଥିବା ଦାବି ହୋଇଥିବା ବେଳେ, ବାସୁଦେବପୁରରେ ସଭାପତି ଓ ସମ୍ପାଦକ ପଦରେ ବିସିଜେଡି ବିଜୟୀ ହୋଇଛି। ୮ ବର୍ଷ ପରେ ନିର୍ବାଚନ ହୋଇଥିବାବେଳେ ଛାତ୍ର ସଂସଦରେ ବିଜେଡି ସମର୍ଥିତ ସଂଗଠନର ବିଜୟକୁ ନେଇ ଜୋର ଧରିଛି ରାଜନୈତିକ ଚର୍ଚ୍ଚା।
ଭଦ୍ରକ: ଭଦ୍ରକ ଜିଲ୍ଲାର ଦୁଇ ପ୍ରମୁଖ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ବାଜିମାତ୍ କରିଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିସିଜେଡି ସମସ୍ତ ଆସନ ଜିତିଥିବା ସୂଚନା ମିଳିଥିବା ବେଳେ, ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟରେ ସଭାପତି ଓ ସମ୍ପାଦକ ପଦରେ ଏହି ସଂଗଠନର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ଏହି ଫଳାଫଳ ଦୁଇ କଲେଜର ନିର୍ବାଚନୀ ଚିତ୍ରକୁ ସାମ୍ନାକୁ ଆଣିଛି।
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା। ଏଥିରେ ଅମିତ୍ ମହାନ୍ତି ସଭାପତି ଏବଂ ପ୍ରକାଶ ନାୟକ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ମହାବିଦ୍ୟାଳୟରେ ମୋଟ ୪,୧୯୨ ଜଣ ମତଦାତାଙ୍କ ମଧ୍ୟରୁ ୨,୨୬୨ ଜଣ ମତଦାନ କରିଥିଲେ। ଭୋଟ ହାର ରହିଥିଲା ପ୍ରାୟ ୫୪ ପ୍ରତିଶତ। ବିସିଜେଡି ଓ ଏବିଭିପି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ବିସିଜେଡି ପ୍ରାର୍ଥୀ ୫୧୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ତେବେ ବିଜୟୀ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହ ବିଶାଲ ଶୋଭାଯାତ୍ରା ରେ ବିଜୟୀ ଦିବସ ପାଳନ କରିଥିଲେ।
ଅନ୍ୟପଟେ, ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିଲା। ଏଠାରେ ଏନ୍ଏସ୍ୟୁଆଇ ଓ ଏବିଭିପିକୁ ପଛରେ ପକାଇ ବିସିଜେଡିର ପ୍ରଶାନ୍ତ ବେହେରା ସଭାପତି ଏବଂ ରାଜା ଜେନା ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ବିଜୟ ଘୋଷଣା ପରେ ବଜାର ପରିକ୍ରମା କରି ଶୋଭାଯାତ୍ରା କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମଧ୍ୟ ଯୋଗ ଦେଇଥିଲେ।
