Collector's Public Hearing:ପିଲାଙ୍କୁ ଲୁଟୁଛନ୍ତି ଅଧ୍ୟକ୍ଷ,ଜିଲ୍ଲାପାଳଙ୍କୁ ଫେରାଦ
ଶିକ୍ଷା ଅନୁଷ୍ଠାନ ନା ଆଦାୟ କେନ୍ଦ୍ର? ୯୪୦ ଟଙ୍କା ବଦଳରେ ପିଲାଙ୍କଠାରୁ ଆଦାୟ ହେଉଛି ୨୯୦୦ ଟଙ୍କା | କପ୍ତିପଦା ଉପଖଣ୍ଡର ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ନାମରେ ପୁଣି ଥରେ ଅର୍ଥ ଆତ୍ମସାତର ଅଭିଯୋଗ | ଅଧ୍ୟକ୍ଷ ଗୌରାଙ୍ଗ ମହାପାତ୍ରଙ୍କ ବିରୋଧରେ ଉଦଳା ଜନଶୁଣାଣୀବେଳେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ୫ମ ସେମିଷ୍ଟାର ଛାତ୍ରଛାତ୍ରୀ |ତେବେ କୌଣସି ନୂଆ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ସରକାରୀ ଅନୁଦାନର କୋଟି କୋଟି ଟଙ୍କା ଆତ୍ମସାତ ଓ ହଡ଼ପ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ଏବଂ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇସାରିଛି। ତେବେ ତଦନ୍ତ ଦାବି କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ |

ମୟୂରଭଞ୍ଜ/ଉଦଳା: କପ୍ତିପଦା ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ବର୍ତ୍ତମାନ ଶିକ୍ଷାଦାନ ଅପେକ୍ଷା ଆର୍ଥିକ କେଳେଙ୍କାରୀ ପାଇଁ ଅଧିକ ଚର୍ଚ୍ଚାରେ ରହିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଗୌରାଙ୍ଗ ଚରଣ ମହାପାତ୍ରଙ୍କ ନାମରେ ପୁଣି ଥରେ ଅର୍ଥଲୁଟ ଅଭିଯୋଗ ଆଣିଛନ୍ତି କଲେଜର ଛାତ୍ରଛାତ୍ରୀ। ଆଜି ଉଦଳାଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ଛାତ୍ରଛାତ୍ରୀମାନେ ଦଳଗତ ଭାବେ ଉପସ୍ଥିତ ରହି ଏକ ଲିଖିତ ଅଭିଯୋଗପତ୍ର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ତେବେ ଏହି ଫର୍ମ ପୂରଣ ଫିସ୍ ସ୍କାମ୍ କୌଣସି ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ମହାବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟ ଏବଂ ସରକାରୀ ଅନୁଦାନର କୋଟି କୋଟି ଟଙ୍କା ଆତ୍ମସାତ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ଏବଂ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇସାରିଛି।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ କଲେଜରେ ଚାଲିଥିବା ୫ମ ସେମିଷ୍ଟାର ଫର୍ମ ପୂରଣ ପାଇଁ ସରକାରୀ ନିୟମ ମୁତାବକ ମାତ୍ର ୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ପିଲାମାନଙ୍କଠାରୁ ବଳପୂର୍ବକ ୨୯୦୦ ଟଙ୍କା ଆଦାୟ କରାଯାଉଛି। ଶିକ୍ଷା ବିଭାଗର ସ୍ପଷ୍ଟ ଗାଇଡଲାଇନ ସତ୍ତ୍ୱେ କେଉଁ ଆଧାରରେ ଅଧିକ ଟଙ୍କା ମଗାଯାଉଛି, ତାହାର କୌଣସି ବୈଧ ରସିଦ କିମ୍ବା ସ୍ପଷ୍ଟୀକରଣ ଦେଇପାରୁ ନାହାନ୍ତି କଲେଜ କର୍ତ୍ତୃପକ୍ଷ। ମୟୂରଭଞ୍ଜ ଭଳି ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳରେ ଅଧିକାଂଶ ଛାତ୍ରଛାତ୍ରୀ ଆର୍ଥିକ ଅନଗ୍ରସର ଶ୍ରେଣୀରୁ ଆସୁଥିବା ବେଳେ ଏଭଳି ଶୋଷଣ ଦାଉ ସାଧୁଛି ସେମାନଙ୍କ ଶିକ୍ଷା ବିକାଶରେ |
ଜିଲ୍ଲାପାଳଙ୍କ ସାମ୍ନାରେ ନିଜର ଦୁଃଖ ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଚାଲିଥିବା ଏହି ଆର୍ଥିକ ଶୋଷଣ ବିରୋଧରେ ତୁରନ୍ତ ନ୍ୟାୟିକ ତଦନ୍ତ କରିବାକୁ ନିବେଦନ କରିଛନ୍ତି।ତେବେ, ଜନଶୁଣାଣୀ ଅଧିକାରୀ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
