Chaos at Jajpur Polytechnic : ବୈଠକରେ ଯୁକ୍ତିତର୍କରୁ ମାରପିଟ୍- ୩ ସସପେଣ୍ଡ୍
ଯାଜପୁର ସରକାରୀ ପଲିଟେକ୍ନିକ୍ରେ ହଙ୍ଗାମା ! ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡ଼ା ପଦକ୍ଷେପ।

ଯାଜପୁର ସରକାରୀ ପଲିଟେକ୍ନିକ୍ରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ତିନି ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ନିଲମ୍ବିତ ହୋଇଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା।
ଅଭିଯୋଗ ଅନୁଯାୟୀ, ଗତ ୨୬ ଅକ୍ଟୋବରରେ ଅନୁଷ୍ଠିତ ଏକ ବୈଠକରେ ଏବଂ ଏହା ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଅଧ୍ୟାପକମାନେ ପରସ୍ପର ମଧ୍ୟରେ ଯୁକ୍ତିତର୍କ, ମାରପିଟ୍ ଓ ଅନ୍ୟାନ୍ୟ ଅଶୋଭନୀୟ ଆଚରଣରେ ଲିପ୍ତ ଥିଲେ। ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବାରୁ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସହ ଶୈକ୍ଷିକ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପଡ଼ିଥିବା କୁହାଯାଇଛି।
ଅଧ୍ୟାପନା ଭଳି ଏକ ମର୍ଯ୍ୟାଦାଜନକ ବୃତ୍ତିରେ ରହି ଏଭଳି ଆଚରଣକୁ ଗୁରୁତ୍ୱର ସହ ନିଆଯାଇଛି। ଏହି ଘଟଣାରେ ତିନି ଜଣଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
