ଲାଠି ଚାର୍ଜର ଭିଡ଼ିଓ ଦେଖିବାକୁ ସମୟ କି ଆଗ୍ରହ ନାହିଁ- ସିଜେଆଇ
ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଲେ, କୋର୍ଟର ସମୟ ବର୍ବାଦ କରନ୍ତୁନି କି ନିଜର ସମୟ ବି। ସିଜେଆଇଙ୍କ ଏଭଳି ଟିପ୍ପଣୀ ଆସିବା ପରେ ସିଜେପିର ସଂସ୍ଥାପକ ଅଭିଜିତ ଦୀପକେଙ୍କ ପ୍ରତିକ୍ରିୟା ଆସିଛି। ଏକ୍ସ-ରେ ଏହି ଖବର ପୋଷ୍ଟ କରି କେବଳ ପ୍ରଶ୍ନବାଚକ ମାର୍କ ଦେଇଛନ୍ତି।

ସିଜେଆଇ କହିଲେ- ଲାଠି ଚାର୍ଜର ଭିଡ଼ିଓ ଦେଖିବାକୁ ଆଗ୍ରହ ନାହିଁ କି ସମୟ ନାହିଁ। ସଂସଦକୁ ପଦଯାତ୍ରା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଲାଠିଚାର୍ଜ ମାମଲାରେ ତ୍ୱରିତ ଶୁଣାଣୀ କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ। ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ମାମଲାରେ ନିଜ ଆଡ଼ୁ ସଂଜ୍ଞାନ ନେଇ ତତ୍କାଳ ଶୁଣାଣୀ ପାଇଁ ପଡ଼ିଥିଲା ପିଟିସନ। କେବଳ ଏତିକି ନୁହେଁ। ଆବେଦନକାରୀଙ୍କ ଓକିଲଙ୍କୁ ବି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଲେ, କୋର୍ଟର ସମୟ ବର୍ବାଦ କରନ୍ତୁନି କି ନିଜର ସମୟ ବି। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ବି ତ୍ୱରିତ ଶୁଣାଣୀ କରିବାକୁ ମନା କରିସାରିଛନ୍ତି। ଦିଲ୍ଲୀ ହାଇକୋର୍ଟ କହିଥିଲେ, ବିନା ଉଚିତ୍ ପ୍ରକ୍ରିୟାରେ ଏହାକୁ ତ୍ୱରିତ ଶୁଣାଣୀ ଲାଗି ତାଲିକାଭୁକ୍ତ କରାଯାଇପାରିବନି। ଆବେଦନକାରୀଙ୍କ ଓକିଲ କହିଥିଲେ, ଏ ମାମଲାରେ ବଡ଼ ସଂଖ୍ୟାରେ ଛାତ୍ରଛାତ୍ରୀ ଜଡ଼ିତ ଅଛନ୍ତି। ଦିଲ୍ଲୀ ପୁଲିସ କାହିଁକି ସେମାନଙ୍କୁ ଅତି ବର୍ବରତା ଭାବେ ବାଡ଼େଇଲା, ଏହାର ତଦନ୍ତ ହେବା କଥା। ନିଟ ପରୀକ୍ଷାରେ ଅନିୟମିତତା, ପେପର ଲିକ୍ ଓ ପରୀକ୍ଷା ପ୍ରଣାଳୀରେ ସୁଧାର ଓ ସଂସ୍କାର ମୁଦ୍ଦାରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଥିଲା ସିଜେପି। ଆଉ ସଂସଦର ପ୍ରଥମ ଦିନ ୨୦ ତାରିଖରେ ସଂସଦକୁ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ବାହାରିଥିଲା। ଆନ୍ଦୋଳନକାରୀ ସଂସଦ ଭବନ ପାଖରେ ପହଞ୍ଚିବା ମାତ୍ରେ ପୁଲିସ ଅଟକାଇଥିଲା। ଆଉ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁକାବିଲା ଲାଗି ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ କରିଥିଲା। ସିଜେପି ଆନ୍ଦୋଳନ ବି ଉଗ୍ର ହୋଇଉଠିଥିଲା। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଶତାଧିକ ପୁଲିସ ବି ଆହତ ହେଲେ। ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏ ମାମଲାର ତ୍ୱରିତ ଶୁଣାଣୀ ଲାଗି ମନା କରିବାରୁ ଆବେଦନକାରୀଙ୍କ ପାଖରେ ଆଇନଗତ ପ୍ରକ୍ରିୟାରେ ଆଗକୁ ବଢିବାର ବିକଳ୍ପ ଅଛି। ସିଜେଆଇଙ୍କ ଏଭଳି ଟିପ୍ପଣୀ ଆସିବା ପରେ ସିଜେପିର ସଂସ୍ଥାପକ ଅଭିଜିତ ଦୀପକେଙ୍କ ପ୍ରତିକ୍ରିୟା ଆସିଛି। ଏକ୍ସ-ରେ ଏହି ଖବର ପୋଷ୍ଟ କରି କେବଳ ପ୍ରଶ୍ନବାଚକ ମାର୍କ ଦେଇଛନ୍ତି। ସେପଟେ ବିରୋଧୀ ଦଳ ସଡ଼କରୁ ନେଇ ସଂସଦ ଯାଏ। ଛାତ୍ରଙ୍କ ଉପରେ ପୁଲିସର ବର୍ବରତାକୁ ନେଇ ପ୍ରତିବାଦ ଜାରି ରଖିଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ଆରମ୍ଭରୁ ୩ ଦିନ ହେଲାଣି, ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନି। ସୁପ୍ରିମକୋର୍ଟରେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ବି.ମୋହନାଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରୁଥିଲେ।
