ଦାନ ଚୋରି ମାମଲା- ଚମ୍ପତ ରାଏଙ୍କ ଇସ୍ତଫା ଗୃହୀତ
ଟ୍ରଷ୍ଟ ବୈଠକରେ ଚମ୍ପତ ରାୟଙ୍କ ଇସ୍ତଫାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ଏହା ସହ ଚାଲିଥିବା ଏସ୍ଆଇଟି ତଦନ୍ତର ଅଗ୍ରଗତି ସମୀକ୍ଷା କରାଯାଇଥିଲା ଏବଂ ଟ୍ରଷ୍ଟର ଆଗାମୀ ପ୍ରଶାସନିକ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ରାମମନ୍ଦିର ଦାନ ଚୋରୀ ମାମଲାରେ ଚମ୍ପତ୍ତ ରାଏଙ୍କ ଇସ୍ତଫା ଗ୍ରହଣ। ଇସ୍ତଫା ଗ୍ରହଣ କଲା ରାମମନ୍ଦିର ଟ୍ରଷ୍ଟ। ଟ୍ରଷ୍ଟର ମହାସଚିବ ଥିଲେ ଚମ୍ପତ୍ତ। ଶ୍ରୀରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାଏ ଓ ସଦସ୍ୟ ଡାକ୍ତର ଅନିଲ ମିଶ୍ରା ଦାନ ଚୋରି ମାମଲାରେ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି ଇସ୍ତଫାକୁ ଗ୍ରହଣ କରାଯିବ କି ନାହିଁ, ତାକୁ ନେଇ ଟ୍ରଷ୍ଟର ଉଚ୍ଚସ୍ତରୀୟ ବୈଠକରେ ମାନସମନ୍ଥନ ହୋଇଥିଲା। ଦାନ ଚୋରି ମାମଲାରେ ଏସଆଇଟି ତଦନ୍ତ ଜାରି ରହିଛି। ଦାନ ଚୋରି ମାମଲାରେ ୮ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଚମ୍ପତ ରାୟ ଗତ ୨୬ ଜୁନ୍ ୨୦୨୬ରେ ଇସ୍ତଫା ଦେଇଥିଲେ। ତାଙ୍କ କହିବା ଅନୁସାରେ, ଦାନ ଅର୍ଥ ଦୁର୍ନୀତି ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ହେଉ ଏବଂ ତାଙ୍କ ପଦବୀକୁ ନେଇ କୌଣସି ପ୍ରଶ୍ନ ଉଠିବାକୁ ନ ଦେବା ପାଇଁ ସେ ନୈତିକ ଦାୟିତ୍ୱ ଗ୍ରହଣ କରି ପଦତ୍ୟାଗ କରିଥିଲେ। ତାଙ୍କ ସହ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଅନିଲ ମିଶ୍ର ମଧ୍ୟ ଇସ୍ତଫା ଦେଇଥିଲେ। ରାମ ମନ୍ଦିରରେ ଭକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାନ ଅର୍ଥର ଏକ ଅଂଶ ଆତ୍ମସାତ୍ ହୋଇଥିବା ଅଭିଯୋଗ ଉଠିଥିଲା। ଘଟଣା ପଦାକୁ ଆସିବା ପରେ ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ ପାଇଁ ଏକ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (SIT) ଗଠନ କରାଯାଇଥିଲା। ଏସ୍ଆଇଟିର ପ୍ରାଥମିକ ତଦନ୍ତରେ ଦାନ ଗଣନା ଓ ପରିଚାଳନା ସହ ଜଡିତ ୮ ଜଣଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ ଏତଲା ରୁଜୁ କରି ସେମାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ଚୋରି, ଅପରାଧିକ ବିଶ୍ୱାସଭଙ୍ଗ ଏବଂ ଷଡଯନ୍ତ୍ର ଭଳି ସଙ୍ଗୀନ ଧାରାରେ ମାମଲା ରୁଜୁ ହୋଇଛି। ଆଜି ଅଯୋଧ୍ୟାରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଚମ୍ପତ ରାୟଙ୍କ ଇସ୍ତଫାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ଏହା ସହ ଚାଲିଥିବା ଏସ୍ଆଇଟି ତଦନ୍ତର ଅଗ୍ରଗତି ସମୀକ୍ଷା କରାଯାଇଥିଲା ଏବଂ ଟ୍ରଷ୍ଟର ଆଗାମୀ ପ୍ରଶାସନିକ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଘଟଣାକୁ ନେଇ ବିରୋଧୀ ଦଳମାନେ ମନ୍ଦିର ଦାନ ପରିଚାଳନାରେ ଅଧିକ ସ୍ୱଚ୍ଛତା ଓ ଜବାବଦେହିତା ଦାବି କରିଛନ୍ତି। ଅନ୍ୟପଟେ ଅଯୋଧ୍ୟାର ଅନେକ ସନ୍ଥ-ମହନ୍ତ ଓ ବିଜେପି ନେତା ଚମ୍ପତ ରାୟଙ୍କ ସମର୍ଥନ କରି କହିଛନ୍ତି ଯେ, ନିରପେକ୍ଷ ତଦନ୍ତ ପାଇଁ ସେ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଛନ୍ତି, ଏହାକୁ ଦୋଷ ସ୍ୱୀକାର ବୋଲି ବିବେଚନା କରାଯିବା ଉଚିତ ନୁହେଁ।
