ଯାଜପୁରରେ ରିଲିଫ୍ ନେଇ ଯାଉଥିବା ବେଳେ ପଲଟିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୧୫ ଜଣ
ଯାଜପୁରରେ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ନେଇ ଯାଉଥିବା ବେଳେ ବୁଢ଼ାଘାଟ ନିକଟରେ ଅଗ୍ନିଶମ ବିଭାଗର ବୋଟ୍ ପଲଟିଯାଇଛି। ବୋଟରେ ଥିବା ୧୫ ଜଣ ସ୍ୱେଚ୍ଛାସେବୀ ପାଣିରେ ପଡ଼ିଥିଲେ। ତେବେ ଅଗ୍ନିଶମ ବାହିନୀ ତୁରନ୍ତ ଅନ୍ୟ ଏକ ବୋଟ୍ ଯୋଗେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ସିମିଳିଆ ପଞ୍ଚାୟତର ଓଲେଇପଡ଼ା ଗାଁକୁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।
ଯାଜପୁର: ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ବେଳେ ଯାଜପୁରରେ ଅଘଟଣ। ବୁଢ଼ାଘାଟ ନିକଟରେ ହଠାତ୍ ପଲଟିଗଲା ଅଗ୍ନିଶମ ବିଭାଗର ବୋଟ୍। ବୋଟରେ ଥିବା ୧୫ ଜଣ ସ୍ୱେଚ୍ଛାସେବୀ ପାଣିରେ ପଡ଼ିଯାଇଥିଲେ। ତେବେ ଅଗ୍ନିଶମ ବାହିନୀର ତ୍ୱରିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ସମସ୍ତେ ଅଳ୍ପକେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁସାରେ, ଯାଜପୁର ସହର ବଡ଼ବଜାର ବ୍ୟବସାୟୀ ସଂଘ ପକ୍ଷରୁ ବନ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ୍ ସାମଗ୍ରୀ ଯୋଗାଡ଼ କରାଯାଇଥିଲା। ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ଅନ୍ତର୍ଗତ ଓଲେଇପଡ଼ା ଗାଁକୁ ଏହି ସାମଗ୍ରୀ ନେଇ ଯାଉଥିଲେ ସ୍ୱେଚ୍ଛାସେବୀମାନେ। ବୁଢ଼ାଘାଟ ନିକଟରେ ପହଞ୍ଚିବା ପରେ ହଠାତ୍ ବୋଟଟି ଭାରସାମ୍ୟ ହରାଇ ପଲଟି ଯାଇଥିଲା। ଫଳରେ ବୋଟରେ ଥିବା ୧୫ ଜଣ ପାଣିରେ ପଡ଼ିଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଅନ୍ୟ ଏକ ବୋଟ୍ ଯୋଗେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାସହ ପଲଟି ଯାଇଥିବା ବୋଟକୁ ମଧ୍ୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ତେବେ ରିଲିଫ୍ ସାମଗ୍ରୀ ନେଇ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।
