Viral Video: ତେଲ ପ୍ରସ୍ତୁତିର ଏମିତି ଦୃଶ୍ୟ ଦେଖି ରାଗିଲେ ୟୁଜର, ଖାଦ୍ୟ ସୁରକ୍ଷା ନେଇ ପ୍ରଶ୍ନ
ତେଲର ଟାଙ୍କିରେ ତେଲ ପ୍ରସ୍ତୁତିରେ ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ, ଭାଇରାଲ ଭିଡିଓରେ ଯୁବକ ତେଲ ଭିତରେ ବୁଡି କି ଉଠୁଥିବାର ଦୃଶ୍ଯ ଭାଇରାଲ୍, ଭିଡିଓକୁ ନେଇ ରାଗିଲେ ୟୁଜର।
ଭୁବନେଶ୍ୱର: ସୋସିଆଲ ମିଡିଆରେ ପ୍ରାୟତଃ ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ୱଚ୍ଛତାର ଅଭାବକୁ ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେହିପରି ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେବାକୁ ଥିବା ତେଲର ଟାଙ୍କି ଭିତରେ ଜଣେ ଯୁବକ ପଶିଥିବା ଦେଖାଯାଉଛି। ଭାଇରାଲ ଭିଡିଓରେ ଏକ ବଡ଼ ମାଟିର ଘଡ଼ା ଭଳି ପାତ୍ର ଦେଖିବାକୁ ମିଳୁଛି। ଏହା ଭିତରେ ଜଣେ ଯୁବକ ତେଲ ଭିତରେ ବୁଡି କି ଉଠୁଥିବାର ଦୃଶ୍ଯ ଦେଖିବାକୁ ମିଳୁଛି। ଦାବି ଅନୁଯାୟୀ, ତେଲର ଟାଙ୍କିରେ ଭବିଷ୍ୟତରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହେବାକୁ ଥିବା ତେଲ ରହିଛି। ଭିଡିଓର ପରିବେଶକୁ ଦେଖିଲେ ଏହା କୌଣସି କାରଖାନା କିମ୍ବା ଉତ୍ପାଦନ ସ୍ଥଳୀ ଭଳି ଲାଗୁଛି। ଆଖପାଖରେ ଲୁହା ରଡ୍ ସମେତ ବିଭିନ୍ନ ସାମଗ୍ରୀ ପଡ଼ିଥିବା ଦେଖାଯାଉଛି। ଚଟାଣରେ ମଧ୍ୟ ତେଲ ଢାଳି ହୋଇଥିବା ନଜର ଆସୁଛି। ଭିଡିଓଟି ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ୟୁଜରମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। କିଛି ୟୁଜର ବଜାରରୁ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ବ୍ରାଣ୍ଡ, ଗୁଣବତ୍ତା ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ମଧ୍ଯ କହିଛନ୍ତି ।
ତେବେ ଭିଡିଓଟି କେଉଁ ସ୍ଥାନର, ଏଥିରେ ଦେଖାଯାଉଥିବା ତେଲ କେଉଁ କମ୍ପାନୀର ସେନେଇ ସ୍ୱତନ୍ତ୍ର ଭାବେ ନିଶ୍ଚିତ ସୂଚନା ମିଳିନାହିଁ। ତେଣୁ କେବଳ ଭାଇରାଲ ଭିଡିଓ ଆଧାରରେ କୌଣସି ବ୍ରାଣ୍ଡ କିମ୍ବା ସଂସ୍ଥା ବିରୋଧରେ ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ। ତେବେ ଏହି ଭିଡିଓ ପୁଣିଥରେ ଖାଦ୍ୟ ଉତ୍ପାଦନ ଓ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା, ଗୁଣବତ୍ତା ଏବଂ ଖାଦ୍ୟ ସୁରକ୍ଷା ନିୟମ ପାଳନର ଗୁରୁତ୍ୱକୁ ସାମ୍ନାକୁ ଆଣିଛି।
