CBI Submitted False Information:ଦିଲ୍ଲୀ ହାଇକୋର୍ଟରେ CBI ଦେଇଥିଲା ମିଛ ତଥ୍ୟ
ଠିକ ଭୁଲ ତଥ୍ୟର ତଦନ୍ତ କରୁଥିବା ସଂସ୍ଥା CBI,ହେଲେ ଏବେ ନିଜେ ଅଦାଲତରେ ଜମା କରିଥିବା ଭୁଲ ତଥ୍ୟକୁ ନେଇ ପ୍ରଶ୍ନ ଘେରରେ | ଦିଲ୍ଲୀ ହାଇକୋର୍ଟରେ ଖୁଲାସା ହେବାପରେ ସ୍ଥିତି ଗମ୍ଭୀର | ୬ ଜଣ CBI ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ କୋର୍ଟ ନିର୍ଦ୍ଦେଶ |
ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟରେ CBI ଦେଇଥିଲା ଭୁଲ ତଥ୍ୟ | CBI ଦାଖଲ କରିଥିବା ୨୦୧୬ ମସିହାର ଏକ ଜବାବରେ ଗୁରୁତର ତଥ୍ୟଗତ ଅସଙ୍ଗତି ଥିବା ଦିଲ୍ଲୀ ହାଇକୋର୍ଟଙ୍କ ନଜରରେ ଆସିବା ପରେ ମାମଲା ଗୁରୁତର ରୂପ ନେଇଛି । CBIର ଏହି ଗୁରୁତ୍ୱପୂର୍ଣ୍ଣ ମିଥ୍ୟା ଦାବିକୁ ନେଇ କୋର୍ଟ ୬ ଜଣ CBI ଅଧିକାରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ମଧୁ ଜୈନଙ୍କ ଖଣ୍ଡପୀଠ ବର୍ତ୍ତମାନ ଏହି ଘଟଣାର ଶୁଣାଣି କରୁଥିବାବେଳେ,ମାମଲାଟି ପୂର୍ବତନ IRS ଅଧିକାରୀ ଅଶୋକ କୁମାର ଅଗ୍ରୱାଲଙ୍କ ବିରୋଧରେ ଥିବା ଅସମ୍ପତ୍ତି ମାମଲା ସହ ଜଡ଼ିତ। ୨୦୧୬ ଜାନୁଆରୀରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ଚଳାଇବା ପାଇଁ ଆବଶ୍ୟକ ସ୍ୟାଙ୍କସନକୁ ଅବୈଧ କହିଥିଲେ। ପରେ ଅଗ୍ରୱାଲ ତାଙ୍କ ମାମଲାରେ ଜବତ ଦଲିଲ ଫେରାଇବାକୁ ଆବେଦନ କରିଥିଲେ। ଏହି ଆବେଦନର ଜବାବରେ CBI ୨ ଅଗଷ୍ଟ ୨୦୧୬ରେ କହିଥିଲା ଯେ ସମ୍ପୃକ୍ତ ପ୍ରଶାସନିକ ମନ୍ତ୍ରଣାଳୟ ସହ ଏନେଇ ଚିଠି ମାଧ୍ୟମରେ ଯୋଗାଯୋଗ ଚାଲିଛି। କିନ୍ତୁ କୋର୍ଟ ଯେତେବେଳେ ଫାଇଲ ନୋଟିଂ, ଡ୍ରାଫ୍ଟ ଓ ଅନ୍ୟ ରେକର୍ଡ ଖୋଲି ଦେଖିଲେ, ଚିତ୍ରଟି ଭିନ୍ନ ଥିଲା।
କୋର୍ଟଙ୍କ ଅନୁଧ୍ୟାନରେ ପ୍ରକୃତରେ ସେଭଳି କୌଣସି ଯୋଗାଯୋଗ ହୋଇନଥିବା ସାମ୍ନାକୁ ଆସିଥିଲା। ଏହାପରେ ଜଷ୍ଟିସ୍ ମଧୁ ଜୈନଙ୍କ ଖଣ୍ଡପୀଠ ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ସେମାନେ ହେଲେ ସୁଶୀଲ ଦେୱାନ, ଭିନୀତ ବିନାୟକ, ଅମିତ କୁମାର, ରମଣ ତ୍ୟାଗୀ, ପ୍ରେମ କୁମାର ଗୌତମ ଏବଂ ଏମ୍ଡି ଆଜାଦ।କୋର୍ଟ ଏହି ଅଧିକାରୀମାନଙ୍କ ବିରୋଧରେ IPCର ଧାରା 191, 193 ଓ 209 ଅନୁସାରେ କଥିତ ମିଥ୍ୟା ପ୍ରମାଣ ସମ୍ପର୍କିତ ଅଭିଯୋଗରେ ପ୍ରକ୍ରିୟା ଆରମ୍ଭ ପାଇଁ କହିଛନ୍ତି। ତେବେ ଏହି ନିର୍ଦ୍ଦେଶ ଅଧିକାରୀମାନେ ଦୋଷୀ ପ୍ରମାଣିତ ହୋଇଗଲେ ବୋଲି ନୁହେଁ। ଆଗାମୀ ଆଇନଗତ ପ୍ରକ୍ରିୟାରେ ହିଁ ଅଭିଯୋଗର ବିଚାର ହେବ।
