Cattle Smuggling:କଣ୍ଟେନରରେ ଅମାନୁଷିକ ଗୋ ଚାଲାଣ
ନମ୍ବର ପ୍ଲେଟ୍ ନଥିବା କଣ୍ଟେନରରେ ଠସାଠସି ହୋଇ ରହିଥିଲେ ଗୋରୁ। ୫ ବଳଦଙ୍କ ଜୀବନ ଯାଇଥିବାବେଳେ ୪୦ରୁ ଅଧିକ ଗୋରୁ ଉଦ୍ଧାର | ଚାଲାଣ ବେଳେ ଚଢ଼ାଉ କରିଥିଲା ପୋଲିସ |ଉଦ୍ଧାର ପରେ ସାମ୍ନାକୁ ଆସିଲା ଅମାନୁଷିକ ଗୋ ଚାଲାଣର ଚିତ୍ର। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ।
କଳାହାଣ୍ଡି: ଗୋ ଚାଲାଣକୁ ନେଇ କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କୋକସରା ଥାନା ଅନ୍ତର୍ଗତ ଧଅରପୁର ନିକଟରେ ଏକ ନମ୍ବରବିହୀନ କଣ୍ଟେନରରୁ ୪୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ପୋଲିସ ଉଦ୍ଧାର କରିଛି। ତେବେ ଗାଡ଼ି ଭିତରେ ଅତ୍ୟଧିକ ସଂଖ୍ୟାରେ ଗୋରୁଙ୍କୁ ଅମାନୁଷିକ ଭାବେ ଠସାଠସି କରି ରଖାଯାଇଥିବାରୁ ୫ଟି ବଳଦଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁସାରେ, ଧଅରପୁର ନିକଟରେ ଏହି କଣ୍ଟେନର ଗାଡ଼ି ଥିବା ଖବର ପାଇ କୋକସରା ପୋଲିସ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରେ ୪୦ରୁ ଅଧିକ ଗୋରୁ ଥିବା ଜଣାପଡ଼ିଥିଲା। ଏତେ ସଂଖ୍ୟକ ଗୋରୁଙ୍କୁ ଅତି କମ୍ ସ୍ଥାନରେ ରଖାଯାଇଥିବାରୁ ସେମାନଙ୍କ ମଧ୍ୟରୁ ୫ଟି ବଳଦ ମୃତ୍ୟୁବରଣ କରିଥିଲେ।ପୋଲିସ ଗୋରୁମାନଙ୍କୁ କଣ୍ଟେନରରୁ ଉଦ୍ଧାର କରି ନିକଟସ୍ଥ ବେହେରା ଗୋଶାଳାରେ ରଖିଛି। ଏଥିସହ ନମ୍ବରବିହୀନ କଣ୍ଟେନରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଛି। ଗୋରୁ କେଉଁଠାରୁ ଆସୁଥିଲେ ଏବଂ କେଉଁଠାକୁ ଚାଲାଣ ହେଉଥିଲେ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
