Student Election Row:ଛାତ୍ର ନିର୍ବାଚନ ତାତି: ଏବିଭିପିକୁ ଜିତାଇବାକୁ ଷଡ଼ଯନ୍ତ୍ରର ଆରୋପ
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୀତି ସରଗରମ। ABVPକୁ ଜିତାଇବା ପାଇଁ ସରକାର ନିର୍ବାଚନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ର କଂଗ୍ରେସ ଓ ବିଜେଡି। ଅନ୍ୟପକ୍ଷରେ, ନିର୍ବାଚନକୁ ଅଧିକ ରାଜନୀତିକରଣ ନକରିବାକୁ ଆହ୍ୱାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ସରକାରଙ୍କ ସହଯୋଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଫନ୍ଦିଫିକର କରି ନିର୍ବାଚନ ଜିତିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ। ୨୦୬ଟି କଲେଜରେ ନିର୍ବାଚନ ନକରି ମନୋନୟନ ମାଧ୍ୟମରେ ପ୍ରତିନିଧି ଚୟନ କରାଯାଇଥିବା ବେଳେ ତିନୋଟି ବଡ଼ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ମନୋନୟନ ବ୍ୟବସ୍ଥାକୁ ବିରୋଧ କରିଛି ଛାତ୍ର କଂଗ୍ରେସ। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସରକାର ଓ ଏଭିବିପିକୁ ଟାର୍ଗେଟ କରାଯାଇଛି।
ଛାତ୍ର କଂଗ୍ରେସର ଅଭିଯୋଗ ଅନୁଯାୟୀ, ABVPର ସଂଗଠନ ଦୁର୍ବଳ ଥିବା କଲେଜଗୁଡ଼ିକରେ ଜାଣିଶୁଣି ନିର୍ବାଚନ ବାତିଲ କରାଯାଇଛି। ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ବାଚନମଣ୍ଡଳୀର ମତୋ କଲେଜ ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ମହାବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଧର୍ମଶାଳାରେ ABVPର ବିଜୟକୁ ନେଇ ମଧ୍ୟ ତୀବ୍ର ଆପତ୍ତି ଉଠାଇଛି ଛାତ୍ର କଂଗ୍ରେସ। ସ୍ଥାନୀୟ ବିଧାୟକ ହିମାଂଶୁ ସାହୁ ଧର୍ମଶାଳାକୁ ଉତ୍ତର କୋରିଆରେ ପରିଣତ କରିଦେଇଥିବା ଅଭିଯୋଗ କରି ଦଳ କହିଛି, ଯେଉଁଠି ଏକଛତ୍ରବାଦୀ ଶାସନ ରହେ, ସେଠାରେ ଏଭଳି ଏକପାଖିଆ ବିଜୟ ଦେଖିବାକୁ ମିଳେ। ଅନ୍ୟ ଛାତ୍ର ସଂଗଠନର ନେତାମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇବା ସହ ଭୟଭୀତ କରି ପ୍ରଭାବିତ କରାଯାଉଥିବା ମଧ୍ୟ ଛାତ୍ର କଂଗ୍ରେସ ଅଭିଯୋଗ କରିଛି।
ମାହାଙ୍ଗାର ପୁଷ୍ପଗିରି କଲେଜରେ ଛାତ୍ର ଦମନ ଚାଲିଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ। ସ୍ଥାନୀୟ ବିଧାୟକ ସାରଦା ପ୍ରଧାନଙ୍କ ପ୍ରରୋଚନାରେ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ କରାଯାଇଥିବା ଦଳ ଅଭିଯୋଗ କରିଛି। ପ୍ରାର୍ଥୀଙ୍କର ୭୫ ପ୍ରତିଶତ ଉପସ୍ଥାନ ଥିବା ସତ୍ତ୍ୱେ କେଉଁ ଆଧାରରେ ନାମାଙ୍କନ ରଦ୍ଦ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ। ABVPକୁ ଜିତାଇବା ପାଇଁ ଉପସ୍ଥାନକୁ ଅସ୍ତ୍ର କରାଯାଉଥିବା ଅଭିଯୋଗ କରି ଦଳ କହିଛି, କଲେଜ ନିର୍ବାଚନ ହେଉଛି ଛାତ୍ର ନେତୃତ୍ୱ ସୃଷ୍ଟିର ଏନ୍ତୁଡ଼ିଶାଳ। ଉପସ୍ଥାନ ଆଳରେ ଛାତ୍ର ନେତୃତ୍ୱକୁ ଦମନ କରାଯାଉଛି ଏବଂ ଶାସକ ଦଳ ନିର୍ବାଚନ ଜିତିବା ପାଇଁ ରକ୍ତପାତର ରାସ୍ତା ଆପଣାଉଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଆଣିଛି ଦଳ।
ଆଗାମୀ ନିର୍ବାଚନରେ ଅଧିକାଂଶ କଲେଜରେ ଛାତ୍ର କଂଗ୍ରେସ କ୍ଲିନ୍ ସୁଇପ୍ କରିବ ବୋଲି ଦଳ ଦୃଢ଼ୋକ୍ତି ପ୍ରକାଶ କରିଛି। ଉତ୍କଳ, ରେଭେନ୍ସା ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମଧ୍ୟ ଦଳ ବିପୁଳ ବିଜୟ ହାସଲ କରିବ ବୋଲି ଦାବି କରାଯାଇଛି।
ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ଛାତ୍ର ସଂସଦ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ବିନା ଗଣ୍ଡଗୋଳରେ ନିର୍ବାଚନ ବାତିଲ, ବିଜେଡି ପ୍ରାର୍ଥୀଙ୍କୁ ଧମକ ଓ ନାମାଙ୍କନ ବାତିଲ ନେଇ ଦଳ ପ୍ରଶ୍ନ ଉଠାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ କରି ବିଜେଡି କହିଛି, ଶତାଧିକ କ୍ୟାମ୍ପସରେ ଛାତ୍ର ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସରକାରଙ୍କ ହସ୍ତକ୍ଷେପକୁ ନିନ୍ଦା କରି ଦଳ ଅହିଂସା ଓ ଗଣତାନ୍ତ୍ରିକ ପଦ୍ଧତିରେ ଲଢ଼େଇ ଜାରି ରଖିବାକୁ କହିଛି।
ଅନ୍ୟପକ୍ଷରେ, ଛାତ୍ର ସଂସଦ ନିର୍ବାଚନକୁ ଅତ୍ୟଧିକ ରାଜନୀତିକରଣ ନକରିବାକୁ ଆହ୍ୱାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଆମେ ମଧ୍ୟ ଛାତ୍ର ରାଜନୀତିରୁ ଆସିଛୁ। ଛାତ୍ର ସଂସଦ ନିର୍ବାଚନ ଛାତ୍ର ସଂଗଠନଗୁଡ଼ିକ କରନ୍ତୁ, କିନ୍ତୁ ରାଜନୈତିକ ନେତୃତ୍ୱ ଏଥିରେ ସିଧାସଳଖ ସାମିଲ ହେବା ଉଚିତ ନୁହେଁ। ଦୀର୍ଘ ଦିନ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଏହାକୁ ଅଧିକ ରାଜନୀତିକରଣ ନକରି ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
