Big Action: ଜେଲରେ ଟୁନା, ଘରେ ଚାଲିଲା ବୁଲଡୋଜର !
ନବରଙ୍ଗପୁର ସାନକୁସୁମୀ ଗାଁରେ ସରକାରୀ ଜମି ଜବରଦଖଲ ଅଭିଯୋଗରେ ଟୁନା ହରିଜନଙ୍କ ଘର ଓ ଷ୍ଟଲ୍ ଉପରେ ପ୍ରଶାସନର ବୁଲଡୋଜର କାର୍ଯ୍ୟାନୁଷ୍ଠାନ । ପୂର୍ବ ନୋଟିସ୍ ପରେ ଭାରି ପୋଲିସ ମୁତୟନରେ ଚାଲିଛି ଉଚ୍ଛେଦ ।
କୁଖ୍ୟାତ ଡକାୟତ ଟୁନା ହରିଜନଙ୍କ ଘରେ ଚାଲିଲା ବୁଲଡୋଜର । ସରକାରୀ ଜମି ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରିଥିବା ଅଭିଯୋଗରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ । ନବରଙ୍ଗପୁର ସହର ନିକଟ ସାନକୁସୁମୀ ଗାଁରେ ଟୁନା ହରିଜନଙ୍କ ଘର ଓ ଷ୍ଟଲ୍ ଭାଙ୍ଗୁଛି ପ୍ରଶାସନ । ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ଜବରଦଖଲ ଖାଲି ନକରିବାରୁ ଆଜି ବୁଲଡୋଜର ଲଗାଇ ଚାଲିଛି ଉଚ୍ଛେଦ କାର୍ଯ୍ୟ । ସୂଚନା ଅନୁସାରେ, ସାନକୁସୁମୀ ଗ୍ରାମରେ ଖାତା ନମ୍ବର ୩୦୪ ଓ ପ୍ଲଟ୍ ନମ୍ବର ୨୫ରେ ମୋଟ୍ ୪୫ ସେଣ୍ଟ ସରକାରୀ ଜମି ରହିଛି । ଏହି ଜମିରୁ ୧୦ ସେଣ୍ଟ ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରାଯାଇଥିବା ଅଭିଯୋଗ ରହିଛି । ପ୍ରଥମେ ପ୍ରଶାସନ ପକ୍ଷରୁ ୩୦ ଦିନିଆ ନୋଟିସ୍ ଦିଆଯାଇଥିଲା । ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଜାରି ହୋଇଥିଲା ୩ ଦିନିଆ ନୋଟିସ୍ । ଏହାପରେ ଆଜି ବୁଲଡୋଜର ଲଗାଇ ଜବରଦଖଲ ଉଚ୍ଛେଦ କରୁଛି ପ୍ରଶାସନ । ଯାହାକୁ ନେଇ ଟୁନା ଙ୍କ ପରିବାର (ମାଆ, ଭଉଣୀ ଓ ସ୍ତ୍ରୀ ) ଲୋକେ ବିରୋଧ କରିଥିବା ବେଳେ ମହିଳା ପୋଲିସ ସେମାନଙ୍କୁ ଘେରି ରହିଛନ୍ତି । ସେପଟେ, ଟୁନା ହରିଜନ ବର୍ତ୍ତମାନ କୋରାପୁଟ ଜେଲରେ ଥିବା ସୂଚନା ମିଳିଛି । ତାଙ୍କ ନାଁରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଏବଂ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ ଡକାୟତି ଓ ଚୋରିରେ ସାମିଲ ଥିବା ନେଇ ୪୦ରୁ ଅଧିକ ମାମଲା ଥିବା ପୋଲିସ କହିଛି । ନିକଟରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା । ଏହାପରେ ପୋଲିସ ତାକୁ ଧରିବା ପାଇଁ ଜାଲ ବିଛାଇଥିବାବେଳେ ଗତ କିଛିଦିନ ତଳେ ଛତିଶଗଡ଼ର ଜଗଦଲପୁରରୁ ସିନେମା ଷ୍ଟାଇଲରେ କୋରାପୁଟ ପୋଲିସ ଟୁନାକୁ ଗିରଫ କରିଥିଲା । ଅନ୍ୟପଟେ, ଉଚ୍ଛେଦ କାର୍ଯ୍ୟ ସମୟରେ ଉପଜିଲ୍ଲାପାଳ ତହସିଲଦାର ଏବଂ ବ୍ୟାପକ ପୋଲିସ ମୁତୟନ କରାଯାଇ ଏହି ଉଛେଦ କାର୍ଯ୍ୟ ଚାଲିଛି ।
