ଆଗ ଶାବଳ ମାଡ଼- ଅଟୋରୁ ଓହ୍ଲାଇ ଖଣ୍ଡାଚୋଟ- ଶିବକୁମାର ହତ୍ୟକାଣ୍ଡ ପଛରେ ପ୍ରତିଶୋଧର ନିଆଁ
ଖାଇବାକୁ ଧାଡ଼ିରେ ବସିଥିବା ବେଳେ ତାଙ୍କ ପଛପଟୁ ଅଭିଯୁକ୍ତମାନେ ଆଗ ଶାବଳ ମାଡ଼ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଲୋକେ ହସ୍ପିଟାଲ ନେଇଥିଲେ। ହେଲେ ଅଟୋରେ ହସ୍ପିଟାଲ ଯାଉଥିବା ବେଳେ ଅଭିଯୁକ୍ତ ରାହୁଲ ଚୌଧୁରୀ ଅଟୋକୁ ଅଟକାଇଥିଲେ। ଶିବଙ୍କୁ ତଳକୁ ଓହ୍ଲାଇ ଖଣ୍ଡାରେ ଚୋଟ ପରେ ଚୋଟ ପକାଇଥିଲେ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଛାଡ଼ିଦେବାକୁ ହାତ ଯୋଡ଼ି ଯେତେ ନେହୁରା ହେଲେ ସୁଦ୍ଧା ରାହୁଲ ଛାଡ଼ିନଥିଲା।

ଗୋରଖପୁରରେ ପୁରୁଣା ଶତୃତାରୁ ବିଦ୍ୟୁତ ବିଭାଗରେ ଠିକାଦାରୀ କରୁଥିବା ଶିବକୁମାର ତିଓ୍ୱାରୀଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା। ଅଗଷ୍ଟ ୮ ତାରିଖରେ ଘଟିଥିବା ଏହି ନିର୍ମମ ହତ୍ୟାକାଣ୍ଡରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ୨୦୨୪ରେ ଆଦେଶ ଚୌଧୁରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଶିବଙ୍କୁ ଗୋଡ଼େଇ ଗୋଡ଼େଇ ଖଣ୍ଡା ଓ ଶାବଳରେ ଆକ୍ରମଣ କରିଥିଲେ ଅଭିଯୁକ୍ତ। ଆଗ ଶିବଙ୍କୁ ଶାବଳରେ ଆକ୍ରମଣ କରିଥିଲେ ଅଭିଯୁକ୍ତ। ହସ୍ପିଟାଲ ନେବା ବାଟରେ ରାସ୍ତାରେ ଅଟୋକୁ ଅଟକାଇ ପୁଣି ଖଣ୍ଡାରେ ହାଣିଥିଲେ। ଏକ ଦଶାହ ଭୋଜି ଖାଉଥିଲା ବେଳେ ଶିବକୁମାରଙ୍କୁ ଏଭଳି ନୃଶଂସ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗୋରଖପୁରର ଅହିରୌଲି ଗାଁରେ ଛେଦି ଚୌଧୁରୀଙ୍କ ମୃତ୍ୟୁ ପରେ ବ୍ରହ୍ମାଭୋଜନର କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ସାମିଲ ହୋଇ ଖାଇବାକୁ ଧାଡ଼ିରେ ବସିଥିବା ବେଳେ ତାଙ୍କ ପଛପଟୁ ଅଭିଯୁକ୍ତମାନେ ଆଗ ଶାବଳ ମାଡ଼ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଲୋକେ ହସ୍ପିଟାଲ ନେଇଥିଲେ। ହେଲେ ଅଟୋରେ ହସ୍ପିଟାଲ ଯାଉଥିବା ବେଳେ ଅଭିଯୁକ୍ତ ରାହୁଲ ଚୌଧୁରୀ ଅଟୋକୁ ଅଟକାଇଥିଲେ। ଶିବଙ୍କୁ ତଳକୁ ଓହ୍ଲାଇ ଖଣ୍ଡାରେ ଚୋଟ ପରେ ଚୋଟ ପକାଇଥିଲେ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଛାଡ଼ିଦେବାକୁ ହାତ ଯୋଡ଼ି ଯେତେ ନେହୁରା ହେଲେ ସୁଦ୍ଧା ରାହୁଲ ଛାଡ଼ିନଥିଲା। ପ୍ରାୟ ୨୦ରୁ ୨୨ଥର ଚୋଟ ପକାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଗଲା। ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏ ଘଟଣାର ଭିଡ଼ିଓ ସୁଟ୍ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ବି ଖଣ୍ଡାରେ ଆକ୍ରମଣ କରିବାକୁ ଗୋଡ଼ାଇଥିଲା ରାହୁଲ। ହେଲେ ସେ ଅଳ୍ପକେ ବର୍ତ୍ତିଗଲେ। ପୁଲିସ ଏ ଘଟଣାରେ ମକଦ୍ଦମା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ରାହୁଲ ଚୌଧୁରୀ, ବିନ୍ଦନିବାସ ଚୌଧୁରୀ, ଆଶୁତୋଷ, ଭାନୁ ଚୌଧୁରୀ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି। ଏ ମାମଲାରେ ଅବହେଳା ଲାଗି ସିକରଗଞ୍ଜ ଥାନାଧିକାରୀ ଅଞ୍ଜୁଲ ଚତୁର୍ବେଦୀଙ୍କୁ ସସପେଣ୍ଡ କରିଛନ୍ତି ଏସପି। ଅଭିଯୁକ୍ତଙ୍କୁ ଏନଏସଏରେ ଆକ୍ସନ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗାଁରେ ଉତ୍ତେଜନା ଥିବାରୁ ଭାରି ମାତ୍ରାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ଉପରେ ପୁଲିସ ନଜର ରଖିଛି। ଗୋରଖପୁରରେ କଡ଼ା ସୁରକ୍ଷା ବଳୟ ଭିତରେ ଶିବଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ତଥା ଓକିଲ ଆଦିତ୍ୟ ଅନୁରାଗ ତିଓ୍ୱାରୀ ମୁଖାଗ୍ନି ଦେଇଥିଲେ। ଦଶାହ ଭୋଜିରେ ଖାଇବା ପାଇଁ ଛେଦି ଚୌଧୁରୀଙ୍କ ପୁଅ ବିନ୍ଦନିବାସ ଚୌଧୁରୀ ୩ଥର ତାଙ୍କ ଘରକୁ ଯାଇ ଡାକିଥିଲେ। ପୁରୁଣା ଶତୃତା ଆଉ ନାହିଁ ଭାଗି ଶିବକୁମାର ନିମନ୍ତ୍ରଣ ରକ୍ଷା କରି ଭୋଜିରେ ସାମିଲ ହୋଇଥିଲେ। ଆଉ ନିଜ ଲାଇସେନ୍ସ ରିଭଲଭର ବି ସାଙ୍ଗରେ ନେଇନଥିଲେ ଶିବକୁମାର। ଭୋଜନ କରୁଥିଲା ବେଳେ କୌଣସି କଥାକୁ ନେଇ ରାହୁଲ ଚୌଧୁରୀଙ୍କ ସହ ବଚସା ହୋଇଥିଲା। ଆଉ ଏହା ପରେ ରାହୁଲ ଶିବଙ୍କ ପିଠିରେ ଶାବଳ ମାଡ଼ କରିଥିଲେ। ୨୦୨୪ ହତ୍ୟାକାଣ୍ଡର ପ୍ରତିଶୋଧ ବୋଲି କହିଛି ପୁଲିସ। କ୍ରିକେଟ ଖେଳରେ ବିବାଦକୁ ନେଇ ୮ରୁ୧୦ଜଣ ଲୋକ ଆଦେଶ ଚୌଧୁରୀଙ୍କ ଦାଦା ବିନୋଦ ଚୌଧୁରୀଙ୍କ ସହ ମାଡ଼ପିଟ୍ କରିଥିଲେ। ଏ ନେଇ ସିକରଗଞ୍ଜ ଥାନାରେ ଏତଲା ହୋଇଥିଲା। ମାମଲାକୁ ନେଇ କ୍ଷୁବ୍ଧ ଥିଲେ କିଛି ଯୁବକ। ଅଗଷ୍ଟ ୫,୨୦୨୪ରେ ଗାଁରେ କୀର୍ତ୍ତନ ଚାଲିଥିବା ବେଳେ ଆଦେଶ ଚୌଧୁରୀଙ୍କୁ ଘେରିଯାଇଥିଲେ। ବିବାଦ ବଢ଼ିବାରୁ ଆଦେଶଙ୍କୁ ଗୁଳି କରି ମାରିଦେଲେ। ଏ ମାମଲାରେ ଶିବକୁମାର ତିଓ୍ୱାରୀ ଓ ତାଙ୍କ ପୁଅ ଆଦିତ୍ୟ ତିଓ୍ୱାରୀ ବି ଅଭିଯୁକ୍ତ ଥିଲେ। ବାପ-ପୁଅ ଏ ମାମଲାରେ ଜେଲ୍ ଯାଇଥିଲେ। କିଛି ମାସ ପୂର୍ବରୁ ଜାମିନରେ ରିଲିଜ ପରେ ସପରିବାର ଗୋରଖପୁରର ଗୋରଖନାଥ କ୍ଷେତ୍ରରେ ଥିବା ପଲିଟେକନିକ କଲେଜରେ ରହିବାକୁ ଲାଗିଲେ। ଗାଁରେ କୌଣସି କାର୍ଯ୍ୟକ୍ରମ ହେଲେ ମଝିରେ ମଝିରେ ଆସି ଯୋଗ ଦିଅନ୍ତି। ଗାଁରେ ବି ତାଙ୍କ ବୃଦ୍ଧା ମାଆ ରହୁଥିଲେ। ହେଲେ ଶନିବାର ଦଶାହ ଭୋଜିରେ ସାମିଲ ହେବାକୁ ଆସି ନିଜ ଜୀବନ ହରାଇଲେ।
