Bribe Trap : ଭିଜିଲାନ୍ସ ଜାଲରେ ପ୍ରୋଗ୍ରାମର
ଜଗତସିଂହପୁର SSA କାର୍ଯ୍ୟାଳୟରେ ₹୩୦ ହଜାର ଲାଞ୍ଚ ନେଉଥିବା ବେଳେ ପ୍ରୋଗ୍ରାମର ଚନ୍ଦ୍ରଜିତ ପରୀଜାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ବକେୟା ବିଲ୍ ମଞ୍ଜୁର ପାଇଁ ଲାଞ୍ଚ ଦାବି ଅଭିଯୋଗରେ ଟ୍ରାପ୍ ପରେ ତାଙ୍କର ତିନିଟି ସ୍ଥାନରେ DA ଯାଞ୍ଚ ନେଇ ଚଢ଼ାଉ ଜାରି ରହିଛି।

ଓଡ଼ିଶା ଭିଜିଲାନ୍ସ ଆଜି ଜଗତସିଂହପୁରସ୍ଥିତ ଡିଇଓ-କମ୍-ଡିପିସି (ଜିଲ୍ଲା ପ୍ରକଳ୍ପ ସଂଯୋଜକ), ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି | “ଭିଜିଲାନ୍ସର ସୂଚନା ଅନୁଯାୟୀ, ପରୀଜା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଡିଜିଟାଲ ବ୍ଲାକବୋର୍ଡ ଲଗାଇବା କାମ କରୁଥିବା ଜଣେ ଏକ୍ଜିକ୍ୟୁଟାଣ୍ଟଙ୍କଠାରୁ ବକେୟା ବିଲ୍ଗୁଡ଼ିକ ମଞ୍ଜୁର କରାଇବା ବଦଳରେ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ |” କୁହାଯାଇଛି ଯେ, ଅଭିଯୁକ୍ତ ଚନ୍ଦ୍ରଜିତ ପରୀଜା କ୍ରୟ ଓ ବୈଷୟିକ କମିଟିର ସଦସ୍ୟ ଭାବେ ସ୍କୁଲଗୁଡ଼ିକରେ କରାଯାଇଥିବା ଡିଜିଟାଲ ବ୍ଲାକବୋର୍ଡ ସ୍ଥାପନ କାର୍ଯ୍ୟର ଯାଞ୍ଚ କରୁଥିଲେ | ତାଙ୍କ ଯାଞ୍ଚ ଓ ପ୍ରମାଣୀକରଣ ପରେ ହିଁ ସମ୍ପୃକ୍ତ ଏକ୍ଜିକ୍ୟୁଟାଣ୍ଟଙ୍କ ପକ୍ଷରେ ବିଲ୍ ଜାରି କରାଯିବାର ଥିଲା | ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ଅଭିଯୁକ୍ତ ଯାଞ୍ଚ ପାଇଁ କୌଣସି ପଦକ୍ଷେପ ନେଉନଥିଲେ | ଏହାପରେ ବିଲ୍ ଜାରି କରାଇବା ପାଇଁ ସେ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା | ଲାଞ୍ଚ ଦାବିରେ ଅସନ୍ତୁଷ୍ଟ ହୋଇ ଅଭିଯୋଗକାରୀ ଏହି ଘଟଣା ସମ୍ପର୍କରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ | ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା | ଆଜି ଚନ୍ଦ୍ରଜିତ ପରୀଜା ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ | ଭିଜିଲାନ୍ସ ଅଭିଯୁକ୍ତଙ୍କ କବଳରୁ ଲାଞ୍ଚର ସମ୍ପୂର୍ଣ୍ଣ ୩୦ ହଜାର ଟଙ୍କା ଉଦ୍ଧାର କରି ଜବତ କରିଛି | ଟ୍ରାପ କାର୍ଯ୍ୟାନୁଷ୍ଠାନ ପରେ ଅଭିଯୁକ୍ତଙ୍କ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି | ଏହି ଚଢ଼ାଉ ଆୟଠାରୁ ଅଧିକ ସମ୍ପତ୍ତି (DA) ଦିଗକୁ ନଜରରେ ରଖି କରାଯାଉଛି | ଏହି ମାମଲାରେ କଟକ ଭିଜିଲାନ୍ସ ଥାନାରେ କେସ ନମ୍ବର ୩୯ , ଦୁର୍ନୀତି ନିବାରଣ ଆଇନ (P.C. Amendment Act, 2018) ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି | ଏହି ମାମଲାରେ ପୋଲିସ ତଦନ୍ତ ଜାରି ରହିଛି |
