Boudh Road Problem: ଗାଁକୁ ନାହି ରାସ୍ତା, ହନ୍ତସନ୍ତ କନାଗୁନ ବାସୀ
ବର୍ଷା ହେଲେ କାଦୁଅରେ ପରିଣତ ହେଉଛି ରାସ୍ତା, ଦୁଇ କିଲୋମିଟର ପାଇଁ ଦୁର୍ଦ୍ଦଶାରେ ଗ୍ରାମବାସୀ। ସ୍କୁଲ ଯିବାଠାରୁ ରୋଗୀଙ୍କୁ ହସ୍ପିଟାଲ ନେବା ଯାଏଁ ସମସ୍ୟା; ରାସ୍ତା ନହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ ଚେତାବନୀ।
ବୌଦ୍ଧ: ବର୍ଷା ହେଲେ ରାସ୍ତା ପାଲଟିଯାଉଛି କାଦୁଅରେ। ଯାତାୟାତ ହୋଇପଡ଼ୁଛି ଦୁର୍ବିଷହ। ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୌଦ୍ଧ ବ୍ଲକ ଅମ୍ବାଝରୀ ପଞ୍ଚାୟତର କନାଗୁନ ଗାଁର ଲୋକେ। ମୁଖ୍ୟ ରାସ୍ତାଠାରୁ ଗାଁର ଦୂରତା ମାତ୍ର ୨ କିଲୋମିଟର। କିନ୍ତୁ ଏହି ଦୁଇ କିଲୋମିଟର ରାସ୍ତା ହିଁ ଗ୍ରାମବାସୀଙ୍କ ପାଇଁ ବର୍ଷ ବର୍ଷ ଧରି ସମସ୍ୟାର କାରଣ ପାଲଟିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏଯାଏଁ ରାସ୍ତା ନିର୍ମାଣ ହୋଇନଥିବା ସେମାନେ କହିଛନ୍ତି। ବର୍ଷା ଦିନରେ ସମସ୍ୟା ଆହୁରି ସଙ୍ଗିନ ହୋଇଯାଏ। କାଦୁଅ ରାସ୍ତା ଦେଇ ଯିବାଆସିବା କଷ୍ଟକର ହୋଇପଡ଼ୁଥିବାରୁ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମଧ୍ୟ ହନ୍ତସନ୍ତ ହେଉଛନ୍ତି। ଗାଁରେ କାହାରି ଦେହ ଖରାପ ହେଲେ ସମସ୍ୟା ଆହୁରି ବଢ଼ିଯାଉଛି। ରୋଗୀଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେବା ପାଇଁ ଟ୍ରାକ୍ଟର ହିଁ ଏକମାତ୍ର ଭରସା ବୋଲି ଗ୍ରାମବାସୀ କହିଛନ୍ତି। ଦୀର୍ଘଦିନ ଧରି ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ଫଳ ଶୂନ। ଏବେ ରାସ୍ତା ନିର୍ମାଣ କାମ ଆରମ୍ଭ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। କନାଗୁନ ଗାଁକୁ ସବୁଦିନିଆ ରାସ୍ତା କେବେ ମିଳିବ, ତାହା ଏବେ ବଡ଼ ପ୍ରଶ୍ନ। ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି। ଏବେ ଦେଖିବାକୁ ବାକି ରହିଲା, କନାଗୁନ ଗ୍ରାମବାସୀଙ୍କ ଦାବି କେବେ ପୂରଣ ହେଉଛି ଏବଂ ଗାଁକୁ କେବେ ମିଳୁଛି ସବୁଦିନିଆ ରାସ୍ତା।
