Classroom Shortage:ବାରଣ୍ଡାରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା!
ବୌଦ୍ଧ ବ୍ଲକ ବିରିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ। ୧୩୦ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ ଶିକ୍ଷକ। ବାରଣ୍ଡାରେ ଚାଲିଛି ପାଠପଢ଼ା।
ବୌଦ୍ଧ: ଶିକ୍ଷାର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ସ୍ମାର୍ଟ କ୍ଲାସରୁମ୍ ଠାରୁ ଆରମ୍ଭ କରି ନୂଆ ଶିକ୍ଷାନୀତି ପର୍ଯ୍ୟନ୍ତ ଚାଲିଛି ଅନେକ ଯୋଜନା। ହେଲେ ଏବେ ବି ଅନେକ ବିଦ୍ୟାଳୟରେ ଦେଖିବାକୁ ମିଳୁଛି ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବ। ଏଭଳି ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତର ବିରିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ଯେଉଁଠି ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି କୁନି କୁନି ପିଲା। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ। ଏତେ କମ୍ ଶିକ୍ଷକଙ୍କୁ ନେଇ କିପରି ଆଠଟି ଶ୍ରେଣୀର ପାଠପଢ଼ା ପରିଚାଳନା ହେଉଛି, ତାହା ଏବେ ବଡ଼ ପ୍ରଶ୍ନ। କେବଳ ଶିକ୍ଷକ ଅଭାବ ନୁହେଁ, ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ହେଲେ ସ୍ଥିତି ଆହୁରି ଜଟିଳ ହୋଇପଡ଼ୁଛି। ପାଣିପାଗର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏଭଳି ପରିବେଶରେ ଗୁଣାତ୍ମକ ଶିକ୍ଷା କିପରି ସମ୍ଭବ, ତାହାକୁ ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜୋର ଧରିଛି। ତେବେ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମସ୍ୟାର ସମାଧାନ କେବେ ହେବ? ଶିକ୍ଷା ବିଭାଗ କେବେ ବିରିଗଡ଼ ବିଦ୍ୟାଳୟର ଦୁରବସ୍ଥା ପ୍ରତି ଦୃଷ୍ଟି ଦେବ? ଏବେ ଅଭିଭାବକଙ୍କ ଅପେକ୍ଷା ପ୍ରଶାସନର ପଦକ୍ଷେପକୁ।
