Nuakhai Festival: ସଂପୁର ଗ୍ରାମରେ ନୂଆଖାଇରେ ନବାନ୍ନ- ଜମିଲା ଭେଟଘାଟ
ବୋଲଗଡ ସଂପୁରରେ ଧୁମଧାମରେ ନୂଆଖାଇ, ୨୦୦ ବର୍ଷର ପରମ୍ପରାକୁ ଆଜି ବି ବଜାୟ ରଖିଛନ୍ତି ଗ୍ରାମବାସୀ।
ବୋଲଗଡ: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ବୋଲଗଡ ବ୍ଲକର ସଂପୁର ଗାଁରେ ବେଶ ଧୁମଧାମରେ ପାଳିତ ହୋଇଛି। ଗାଁର ପ୍ରସିଦ୍ଧ ଶୈବପୀଠ ବାବା ବାଲୁଙ୍କେଶ୍ୱର ଦେବଙ୍କ ନିକଟରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଗ୍ରାମବାସୀ ସମୂହ ଭାବେ ନବାନ୍ନ ଭକ୍ଷଣ କରି ନୂଆଖାଇ ଉତ୍ସବ ପାଳନ କରିଛନ୍ତି। ସଂପୁର ଗାଁରେ ଦୀର୍ଘ ପ୍ରାୟ ଦୁଇଶହ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଥିବା କୁହାଯାଏ। ନୂଆଖାଇ ସହ ଜଡ଼ିତ ଏହି ପରମ୍ପରାର ରହିଛି ଏକ ସ୍ୱତନ୍ତ୍ର ଐତିହାସିକ ଓ ପୌରାଣିକ କଥା। ପୌରାଣିକ ମତ ଅନୁଯାୟୀ, ସମ୍ବଲପୁର ରାଣୀ ମୁକ୍ତାଦେଇ ତତ୍କାଳୀନ ସମୟରେ ସଂପୁର ଗାଁରେ ଅବସ୍ଥାପିତ ଥିବାବେଳେ ବାବା ବାଲୁଙ୍କେଶ୍ୱର ଦେବଙ୍କୁ ପ୍ରତିଷ୍ଠା କରିଥିଲେ। ଏହା ପରେ ଏଠାରେ ନୂଆଖାଇ ପର୍ବର ପ୍ରଚଳନ ହୋଇଥିବା ବିଶ୍ୱାସ ରହିଛି।
ସେହିଦିନଠାରୁ ଗ୍ରାମବାସୀ ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ପରମ୍ପରା ଅନୁସରଣ କରି ନୂଆଖାଇ ଭେଟଘାଟ ପାଳନ କରିଆସୁଛନ୍ତି। ପର୍ବ ଅବସରରେ ଗାଁର ସମସ୍ତ ପରିବାର ଏକାଠି ହୋଇ ନୂଆବସ୍ତ୍ର ପରିଧାନ କରିବା ସହ ପରସ୍ପର ମଧ୍ୟରେ ଭାଇଚାରା ଓ ଶୁଭେଚ୍ଛାର ଆଦାନପ୍ରଦାନ କରିଥାନ୍ତି। ବାବା ବାଲୁଙ୍କେଶ୍ୱର ଦେବଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ସମସ୍ତେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିଥିଲେ। ଏହି ସମୂହ ନବାନ୍ନ ଭକ୍ଷଣ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ଦେଇଥାଏ।

