Paddy Crop Disease: ବୋଡେ଼ନରେ ଧାନ ଫସଲରେ ରୋଗପୋକ ଆତଙ୍କ, ଚିନ୍ତାରେ ଚାଷୀ
ବୋଡେ଼ନ ବ୍ଲକରେ ଧାନ ଫସଲରେ ମାଟିଆଗୁଣ୍ଡି ଓ ଚକଡା ପୋକ ଆତଙ୍କ। ଶହଶହ ହେକ୍ଟର ଫସଲ ପ୍ରଭାବିତ ଅଭିଯୋଗ, ଚିନ୍ତାରେ ଚାଷୀ।
ନୂଆପଡା: ଧାନ ଅମଳ ସମୟ ପାଖେଇ ଆସିଥିବା ବେଳେ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ଫସଲରେ ମାଟିଆଗୁଣ୍ଡି ଓ ଚକଡା ପୋକ ଲାଗି ଶହଶହ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ରୋଗପୋକ ଯୋଗୁଁ ଧାନଗଛ ହଳଦିଆ ପଡିବା ସହ ମରିବାକୁ ବସିଥିବାରୁ ଚାଷୀଙ୍କ ଚିନ୍ତା ବଢିଛି। ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକର ଚାଷୀଙ୍କ ପିଛା ଛାଡୁନି ସମସ୍ୟା। କେତେବେଳେ ବର୍ଷା ଅଭାବରୁ ମରୁଡି, ତ ଆଉ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହୋଇ ଚାଷୀ କ୍ଷତି ସହୁଛନ୍ତି। ଚଳିତବର୍ଷ ଭଲ ବର୍ଷା ହେବାରୁ ଧାନ ଫସଲ ମଧ୍ୟ ଭଲ ହୋଇଥିଲା। ହେଲେ ଅମଳ ସମୟ ପାଖେଇ ଆସିବା ବେଳକୁ ଦେଖାଦେଇଛି ରୋଗପୋକ ଆତଙ୍କ।
ବୋଡେ଼ନ ବ୍ଲକର ବିଭିନ୍ନ ଅଞ୍ଚଳର ଧାନଜମିରେ ମାଟିଆଗୁଣ୍ଡି ଓ ଚକଡା ପୋକ ଲାଗିଥିବାରୁ ଧାନଗଛ ହଳଦିଆ ହୋଇ ମରିବାକୁ ବସିଥିବା ଚାଷୀମାନେ କହିଛନ୍ତି। ରୋଗପୋକ ନିୟନ୍ତ୍ରଣ ପାଇଁ କୃଷି ବିଭାଗର ପରାମର୍ଶ ଅନୁସାରେ କୀଟନାଶକ ଔଷଧ ପ୍ରୟୋଗ କରିଥିଲେ ମଧ୍ୟ ଆଶାନୁରୂପ ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ବର୍ଷା ଅଭାବ ଯୋଗୁଁ ପ୍ରତିବର୍ଷ ମରୁଡିର ସମ୍ମୁଖୀନ ହୋଇ ଚାଷୀ କ୍ଷତି ସହୁଥିବା ବେଳେ ଚଳିତବର୍ଷ ଭଲ ବର୍ଷା ହେବା ସାଙ୍ଗକୁ ଫସଲ ମଧ୍ୟ ଭଲ ହୋଇଥିଲା। ତେବେ ଧାନ ଅମଳ ହେବା ସମୟରେ ରୋଗପୋକ ଦେଖାଦେବା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଫସଲ ନଷ୍ଟ ହେଲେ ଚାଷରେ ଖର୍ଚ୍ଚ କରିଥିବା ଟଙ୍କା ଉଠିବ କି ନାହିଁ, ତାହାକୁ ନେଇ ମଧ୍ୟ ଚାଷୀ ଆଶଙ୍କାରେ ଅଛନ୍ତି। ଏନେଇ ବୋଡେ଼ନ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ବ୍ଲକରେ ଧାନ ଫସଲରେ ରୋଗପୋକ ବ୍ୟାପିଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ଚାଷୀଙ୍କୁ ସରକାରୀ ସ୍ତରରେ କୀଟନାଶକ ଔଷଧ ଯୋଗାଇଦେବା ସହ ପରିସ୍ଥିତି ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।
କଥାରେ ଅଛି, ‘ଚାଷକାମ ଯାହାର, କେତେ ସୁଖ ତାହାର’। ହେଲେ ବୋଡେ଼ନ ବ୍ଲକର ଚାଷୀଙ୍କ ପାଇଁ ଏହି ଉକ୍ତି ଏବେ ଭୁଲ ପ୍ରମାଣିତ ହେବାକୁ ବସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭଲ ଫସଲ ଅମଳର ଆଶା ରଖିଥିବା ଚାଷୀଙ୍କୁ ଏବେ ରୋଗପୋକ ଚିନ୍ତା ଘାରିଛି। ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହେଉଛି।
