Boat Accident:ଭିତରକନିକାରେ ବୁଡ଼ିଗଲା ପର୍ଯ୍ୟଟକ ବୋଟ
ଭିତରକନିକା ବୁଲିବାକୁ ଯାଇ ଅଳ୍ପକେ ବର୍ତ୍ତିଲା ୮ ଜୀବନ। କୁମ୍ଭୀରିଆ ନଦୀରେ ହଠାତ୍ ବୋଟ୍ରେ ପଶିଲା ପାଣି। ଚାରିପଟେ ନଦୀ ଓ କୁମ୍ଭୀର ଭୟ ଭିତରେ ପର୍ଯ୍ୟଟକଙ୍କ ଚିତ୍କାରରେ ସୃଷ୍ଟି ହେଲା ଆତଙ୍କ।
ଭିତରକନିକା:ଭିତରକନିକାରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଛନ୍ତି ୬ ଜଣ ପର୍ଯ୍ୟଟକଙ୍କ ସମେତ ୮ ଜଣ। ଖୋଳା ନିକଟସ୍ଥ କୁମ୍ଭୀରିଆ ନଦୀରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଚାନ୍ଦବାଲିରୁ ୬ ଜଣ ପର୍ଯ୍ୟଟକଙ୍କୁ ନେଇ ‘ଅଶୋକା’ ନାମକ ଏକ ଘରୋଇ ବୋଟ୍ ଭିତରକନିକା ଆସିଥିଲା। ବୋଟ୍ରେ ୬ ଜଣ ପର୍ଯ୍ୟଟକଙ୍କ ସହ ୨ ଜଣ କର୍ମଚାରୀ ଥିଲେ। ଖୋଳା ନିକଟରେ ବୋଟ୍ଟି ଯାଉଥିବା ସମୟରେ ହଠାତ୍ ଏଥିରେ ପାଣି ପଶିବା ଆରମ୍ଭ କରିଥିଲା। ଫଳରେ ବୋଟ୍ଟି ନଦୀରେ ବୁଡ଼ିଯାଇଥିଲା। ଚାରିପଟେ କୁମ୍ଭୀର ଥିବା କୁମ୍ଭୀରିଆ ନଦୀରେ ଏଭଳି ଅଘଟଣ ଘଟିବାରୁ ପର୍ଯ୍ୟଟକମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଛରେ ଆସୁଥିବା ଅନ୍ୟ ଏକ ବୋଟ୍ର ଲୋକ ଏବଂ ବନ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ବୁଡ଼ିଯାଇଥିବା ବୋଟ୍ରେ ଥିବା ସମସ୍ତ ୬ ଜଣ ପର୍ଯ୍ୟଟକ ଓ ୨ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ବୋଟ୍କୁ ସ୍ଥାନାନ୍ତର କରି ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାରେ କାହାରି ମୃତାହତ ହେବା ଖବର ମିଳିନାହିଁ।
