Blood Donation Camp: ମୋଦୀଙ୍କ ଜନ୍ମଦିନରେ ବସ୍ତାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବାଲେଶ୍ୱର ବସ୍ତା ମଥାନୀସ୍ଥିତ ବାସନ୍ତୀ ପ୍ଲାଜାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ସାମାଜିକ କର୍ମୀ ସୁମନ୍ତ କୁମାର ଜେନାଙ୍କ ଆହ୍ୱାନରେ ଆୟୋଜିତ ଶିବିରରେ ବହୁ ଯୁବକ ରକ୍ତଦାନ କରିଥିଲେ।
ବସ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଥାନୀସ୍ଥିତ ବାସନ୍ତୀ ପ୍ଲାଜା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଦେଶବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ରେ ରକ୍ତଦାନ ସମେତ ବିଭିନ୍ନ ଜନସେବା କାର୍ଯ୍ୟକ୍ରମ ସାମିଲ ହୋଇଛି। ସାମାଜିକ କର୍ମୀ ତଥା ପରିବେଶବିତ୍ ସୁମନ୍ତ କୁମାର ଜେନାଙ୍କ ଆହ୍ୱାନ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବସ୍ତା ଥାନା ଅଧିକାରୀ ରଂଜିତ କୁମାର ସାହୁ, ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟିର ଉପଦେଷ୍ଟା ବାସନ୍ତୀ ଜେନାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଯୁବ ସମାଜସେବୀ ଉପସ୍ଥିତ ରହି ଶିବିରରେ ଯୋଗଦେଇଥିଲେ।
ଅତିଥି ଭାବେ ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ବରିଷ୍ଠ ସମାଜସେବୀ କୁମୁଦ ରଞ୍ଜନ ଗିରି, ସମାଜସେବୀ ଶଙ୍କର ଜେନା, ଯୋଗୀ ଅନ୍ତର୍ଜାମୀ ରାଉଳ, ଶିଳ୍ପପତି ରବି ମହାନ୍ତି ଓ ବିଜୟ ସିଂ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ବହୁ ସଂଖ୍ୟାରେ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଦାନ ମାଧ୍ୟମରେ ଆବଶ୍ୟକତା ସମୟରେ ରୋଗୀଙ୍କୁ ସହାୟତା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି। ସୁମନ୍ତ କୁମାର ଜେନା ପରିବେଶ ସୁରକ୍ଷା ସହ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ଜଡ଼ିତ ରହିଥିବା ଆୟୋଜକମାନେ କହିଛନ୍ତି। ତାଙ୍କ ଆହ୍ୱାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ବିଶ୍ୱଜିତ ମୁଦୁଲି, ଚନ୍ଦନ ବିଶ୍ୱାଳ, ଅଜୟ ବେହେରା ଓ ଉମାଶଙ୍କର ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
