ଚାଷୀ ମୃତ୍ୟୁ: ନୂଆପଡାରେ ବିଜେଡି ଫ୍ୟାକ୍ଟ-ଫାଇଣ୍ଡିଙ୍ଗ ଟିମ୍
ନେପାଳ ମାଝୀଙ୍କ ଆତ୍ମହତ୍ୟା ଘଟଣା । ନବୀନଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲା ବିଜେଡି ଫ୍ୟାକ୍ଟ-ଫାଇଣ୍ଡିଙ୍ଗ ଟିମ୍ । ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଘଟଣାସ୍ଥଳ ପରିଦର୍ଶନ ।
ନୂଆପଡା: ଟୋକନ ପାଇଁ ମଧ୍ୟ ମଣ୍ଡିରୁ ଧାନ ନ ଉଠିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନୂଆପଡା ଜିଲ୍ଲା କୋମନା ବ୍ଳକ ଜଡ଼ାମୁଣ୍ଡା ଗାଁ ର ଚାଷୀ ନେପାଳ ମାଝୀଙ୍କ ବିଷ ପିଇ ଆତ୍ମହତ୍ୟା କରିବା ଘଟଣାର ସତ୍ୟାସତ୍ୟ ଅନୁଧାନ ପାଇଁ ଆଜି ନୂଆପଡା ଜିଲ୍ଲା ଗ୍ରସ୍ତରେ ବିଜୁ ଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଦଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଗଠିତ ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ନେତୃତ୍ୱ ନେଇଥିଲେ ଦଳର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା । ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦୁ ସିଂ ଦେଓ, ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଙ୍କୁ ଗଠିତ ଏହି ଟିମ ନୂଆପଡା ଜିଲ୍ଲା ଗସ୍ତରେ ଆସି ପ୍ରଥମେ କୋମନା ବ୍ଳକ କଡାମୁଣ୍ଡା ଗାଁକୁ ଯାଇ ଆତ୍ମହତ୍ୟା କରିଥିବା ଚାଷୀ ନେପାଳ ମାଝୀଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ କାହିଁକି ଓ କେଉଁ ପରିସ୍ଥିତିରେ ନେପାଳ ମାଝୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ପଚାରି ବୁଝିଥିଲେ। ଏଥି ସହ ଉକ୍ତ ଘଟଣାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ମୃତକ ପରିବାରକୁ କୋଡିଏ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଦେବା ପାଇଁ ଦାବୀ କରିଥିଲେ, ପରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଜିଲ୍ଲାରେ ରବିଧାନ କିଣାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ବିଭିନ୍ନ ମଣ୍ଡିରେ ପରିଦର୍ଶନ କରିବା ସହ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ରାଜ୍ୟର ଡ଼ବଲ ଇଞ୍ଜିନ ସରକାର ଚାଷୀଙ୍କୁ ଡ଼ବଲ ଫାଇଦା ଦେବାର ସ୍ବପ୍ନ ଦେଖାଇଥିଲେ କିନ୍ତୁ ନୂଆପଡା ଜିଲ୍ଲାର ମଣ୍ଡି ଅବ୍ୟବସ୍ଥା ଦେଖିଲେ ଜଣାପଡୁଛି ଡ଼ବଲ ଧୋକା ଦେଇଛି । ମଣ୍ଡିର ଅବଧି ସରିବା ଉପରେ ହେଲେ ମଣ୍ଡିରୁ ଧାନ ଉଠୁ ନାହିଁ । ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡି ରହିଥିବା ବେଳେ ଧାନ ଭିଜି ଗଜା ହେଇଗଲାଣି, ଏନେଇ କ୍ଷୋଭ ପ୍ରକାଶ କରିଥିଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ । ସରକାର ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବୀ କରିଛନ୍ତି ଵିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ।
ରିପୋର୍ଟ- ବିମଳ ସିଂ ଦଳପତି
