Bishnoi Gang Canada: ପୋଲିସଠାରୁ ଅଧିକ ବନ୍ଧୁକ, $୧୦୦୦ରେ ଗୁଳିକାଣ୍ଡ’’: କାନାଡାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସିଧା ଚ୍ୟାଲେଞ୍ଜ
କାନାଡାର ଆବୋଟ୍ସଫୋର୍ଡ ପୋଲିସକୁ ୨୦୨୫ରେ ପଠାଯାଇଥିବା ବିଷ୍ଣୋଇ ଗ୍ୟାଙ୍ଗର ଏକ କଥିତ ଧମକପୂର୍ଣ୍ଣ ଚିଠି ଏବେ ସାମ୍ନାକୁ ଆସିଛି। ଏଥିରେ କାନାଡାରେ ୫,୦୦୦ରୁ ଅଧିକ ସଦସ୍ୟ ଥିବା ଓ ପୋଲିସଠାରୁ ଅଧିକ ଅସ୍ତ୍ର ଥିବା ଦାବି କରାଯାଇଛି। ତେବେ ଏହି ସଂଖ୍ୟାକୁ କର୍ତ୍ତୃପକ୍ଷଙ୍କ ସ୍ୱାଧୀନ ସତ୍ୟାପନ ମିଳିନାହିଁ।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ ଏକ କଥିତ ଚିଠି ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। କାନାଡା ପ୍ରଶାସନ ଓ ପୋଲିସକୁ ଲକ୍ଷ୍ୟ କରି ଲେଖାଯାଇଥିବା ଏହି ଚିଠିରେ ଗ୍ୟାଙ୍ଗ୍ ନିଜର ଶକ୍ତି ଦେଖାଇବା ସହ କାନାଡାରେ ସେମାନଙ୍କର ୫,୦୦୦ରୁ ଅଧିକ ଗ୍ୟାଙ୍ଗଷ୍ଟର ସକ୍ରିୟ ଅଛନ୍ତି ଏବଂ ପୋଲିସ ତୁଳନାରେ ସେମାନଙ୍କ ପାଖରେ ଅଧିକ ଅସ୍ତ୍ରଶସ୍ତ୍ର ରହିଛି ବୋଲି ଦାବି କରିଛି। ଏହି ଚିଠିଟି ଗତବର୍ଷ କାନାଡାର ଆବୋଟ୍ସଫୋର୍ଡ ପୋଲିସ ବିଭାଗ (Abbotsford Police Department) କୁ ପଠାଯାଇଥିଲା। ଏବେ ‘ଆକ୍ସେସ୍ ଟୁ ଇନଫର୍ମେସନ୍ ଆକ୍ଟ’ମାଧ୍ୟମରେ ପୋଲିସ ତଦନ୍ତ ଫାଇଲ୍ରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ଚିଠିରେ କଣ ଲେଖାଯାଇଛି?
ଅନେକ ବ୍ୟାକରଣଗତ ତ୍ରୁଟି ଓ ଭୁଲ୍ ଶବ୍ଦରେ ଭରା ଏହି ଚିଠିରେ କାନାଡା ପ୍ରଶାସନକୁ ସିଧାସଳଖ ଚ୍ୟାଲେଞ୍ଜ କରାଯାଇଛି। ଚିଠିର ପ୍ରମୁଖ ଅଂଶଟି ଏହିପରି:
"ଆମେ ଆପଣଙ୍କୁ ଚେତାବନୀ ଓ ଚ୍ୟାଲେଞ୍ଜ ଦେଉଛୁ। ଆମେ ଭାରତୀୟ ଗ୍ୟାଙ୍ଗ୍, କାନାଡା ପାଖରେ ଆମକୁ ରୋକିବାର ସାହସ ନାହିଁ। ଆମେ ଏବେ କାନାଡାରେ ଶାସନ କରିବୁ ଏବଂ କେହି ଆମକୁ ରୋକିପାରିବେ ନାହିଁ। ଆମେ ଅତ୍ୟନ୍ତ ଶକ୍ତିଶାଳୀ। କାନାଡାରେ ଆମର ୫,୦୦୦ରୁ ଅଧିକ ଗ୍ୟାଙ୍ଗ ସଦସ୍ୟ ଅଛନ୍ତି, ଯେଉଁମାନେ ମାତ୍ର $୧୦୦୦ (୧୦୦୦ ଡଲାର) ପାଇଁ ଗୁଳିକାଣ୍ଡ କରିପାରିବେ। ଆପଣ ଆମକୁ ରୋକିପାରିବେ ନାହିଁ, ଖୁବ୍ଶୀଘ୍ର ଆମେ କାନାଡାକୁ ନିଜ ନିୟନ୍ତ୍ରଣକୁ ନେବୁ।"
କିପରି ସାମ୍ନାକୁ ଆସିଲା ଏହି ଚିଠି?
କାନାଡାରେ ବେଆଇନ ତଥା ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଜଣେ ସହଯୋଗୀଙ୍କର ଇମିଗ୍ରେସନ୍ ଶୁଣାଣି (Immigration Hearing) ସମୟରେ ଏହି ଚିଠିଟି ତଦନ୍ତ ନଥିପତ୍ରରୁ ଜବତ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜୁଲାଇ ୨୦୨୬ରେ କାନାଡାରୁ ଡିପୋର୍ଟ (ଦେଶାନ୍ତର) କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହିତ ‘କାନାଡା ବୋର୍ଡର ସର୍ଭିସେସ୍ ଏଜେନ୍ସି’ (CBSA) ର ରିପୋର୍ଟ ଅନୁଯାୟୀ, ଆଲବର୍ଟା, ଓଣ୍ଟାରିଓ ଏବଂ ବ୍ରିଟିଶ କଲମ୍ବିଆରେ ଚାନ୍ଦା ଆଦାୟ, ଗୁଳିକାଣ୍ଡ ଓ ଧମକପୂର୍ଣ୍ଣ କାର୍ଯ୍ୟକଳାପରେ ଜଡ଼ିତ ଅନେକ ଯୁବକଙ୍କୁ ଚିହ୍ନଟ କରାଯାଇଛି।
କାନାଡା ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫ ଜଣ ଭାରତୀୟ ଡିପୋର୍ଟ
ଏହି ଚିଠି ପଦାକୁ ଆସିବାର ମାତ୍ର ଦୁଇ ଦିନ ପୂର୍ବରୁ, କାନାଡା ସରକାର ସଂଗଠିତ ଅପରାଧ ଏବଂ ଚାନ୍ଦା ଆଦାୟ ସହ ଜଡ଼ିତ ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଦେଶାନ୍ତର (Deport) କରିଛନ୍ତି। ସେମାନଙ୍କ ମଧ୍ୟରେ ଲରେନ୍ସ ବିଷ୍ଣୋଇର ନିକଟତର କରମବୀର ସିଂହ, ପାଲବିନ୍ଦର ସିଂହ, ଜସମେର ସିଂହ, ଅମିତୋଜ ବାଜୱା ଏବଂ ସାହିବଜୋତ ସିଂହ ସାମିଲ ଅଛନ୍ତି।
ନିରୀହ ଯୁବକଙ୍କୁ ଗ୍ୟାଙ୍ଗ୍ରେ ସାମିଲ କରାଯାଉଥିବା ନେଇ ସୂଚନା
କାନାଡାର ଆର୍ଥିକ ତଦନ୍ତକାରୀ ସଂସ୍ଥା FINTRAC ଦ୍ୱାରା ଜାରି ବିଶେଷ ବୁଲେଟିନ୍ ଅନୁଯାୟୀ କାନାଡାକୁ ପଢ଼ିବାକୁ ଆସୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଭାରତୀୟ ଛାତ୍ରମାନଙ୍କୁ ଏହି ଗ୍ୟାଙ୍ଗଗୁଡ଼ିକ ଟାର୍ଗେଟ୍ କରୁଛନ୍ତି। ସେମାନଙ୍କୁ ଟଙ୍କାର ଲୋଭ ଦେଖାଇ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ଏବଂ ଭୟ ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଉଛି।
