Biswakarma Puja Govt ITI:ଭଣ୍ଡାରିପୋଖରୀ ସରକାରୀ ITIରେ ଧୁମଧାମରେ ବିଶ୍ୱକର୍ମା ପୂଜା
ଭଣ୍ଡାରିପୋଖରୀ ସରକାରୀ ITIରେ ଧୁମଧାମରେ ବିଶ୍ୱକର୍ମା ପୂଜା। ଯନ୍ତ୍ରପାତି ପୂଜା ସହ ଝୋଟି, ରଙ୍ଗୋଲୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ।
ଭଣ୍ଡାରିପୋଖରୀ: ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଭଣ୍ଡାରିପୋଖରୀସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (Govt ITI)ରେ ମଧ୍ୟ ବିଶ୍ୱକର୍ମା ପୂଜା ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ନିଜର ବୈଷୟିକ କୌଶଳ ଓ ସୃଜନଶୀଳତାକୁ ଭଗବାନ ବିଶ୍ୱକର୍ମାଙ୍କ ଚରଣରେ ସମର୍ପଣ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଏକାଠି ହୋଇଥିଲେ। ସକାଳୁ ଅନୁଷ୍ଠାନର ଅଧ୍ୟକ୍ଷ, ସମସ୍ତ ଇନଷ୍ଟ୍ରକ୍ଟର ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ରୀତିନୀତି ଅନୁଯାୟୀ କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନର ବିଭିନ୍ନ ଟ୍ରେଡ୍ର ୱର୍କସପ୍ଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକମାଳା ଓ ଫୁଲରେ ସୁନ୍ଦର ଭାବେ ସଜାଯାଇଥିଲା।
ପୂଜା ଅବସରରେ ଛାତ୍ରଛାତ୍ରୀମାନେ ନିଜ ନିଜ ପ୍ରାକ୍ଟିକାଲ୍ ମେସିନ୍, ଲେଥ୍ ମେସିନ୍, ଇଲେକ୍ଟ୍ରିକାଲ୍ ଉପକରଣ ସମେତ ବିଭିନ୍ନ ଯନ୍ତ୍ରାଂଶକୁ ସଫାସୁତୁରା କରିଥିଲେ। ପରେ ଫୁଲ, ଚନ୍ଦନ ଆଦି ଦେଇ ଯନ୍ତ୍ରପାତିଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା। ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରୁ ସେମାନଙ୍କ ବୈଷୟିକ କୌଶଳ ଓ ଜ୍ଞାନର ବିକାଶ ହେବ ବୋଲି ଛାତ୍ରଛାତ୍ରୀମାନେ ଆଶା ପ୍ରକାଶ କରିଥିଲେ। ପୂଜା ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ଝୋଟି ଓ ରଙ୍ଗୋଲୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପରେ ଏକ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ବିଶ୍ୱକର୍ମା ପୂଜା କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିଲା।
