Ganjam Flood Sparks Political Storm: ଡ୍ୟାମ୍ରେ ହେଲା କି ବଡ଼ ଭୁଲ୍? ବନ୍ୟାକୁ ନେଇ ହଲଚଲ
ଗଞ୍ଜାମ ବନ୍ୟାକୁ ନେଇ ରାଜନୀତି ତେଜ! ବିଜେପି ଓ ବିଜେଡିକୁ ଏକାସାଙ୍ଗେ ଘେରିଲେ ଭକ୍ତ ଚରଣ ଦାସ। ଉଠାଇଲେ ଡ୍ୟାମ୍ ପରିଚାଳନା ଓ ସରକାରଙ୍କ ଜବାବଦେହିତା ଉପରେ ବଡ଼ ପ୍ରଶ୍ନ !

ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ | ବନ୍ୟା ପରିଚାଳନାରେ ସରକାରୀ ବିଫଳତାକୁ ନେଇ ଶାସକ ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଚରଣ ଦାସ | ଅନ୍ୟପଟେ କଂଗ୍ରେସ ଏହି ବନ୍ୟା ପାଇଁ ଉଭୟ ବିଜେପି ଓ ପୂର୍ବତନ ବିଜେଡି ସରକାରକୁ ଦାୟୀ କରିଛି |
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଗଞ୍ଜାମ ବନ୍ୟା ପରିଚାଳନାରେ ଅବହେଳା ନେଇ ପ୍ରଶ୍ନ ଉଠାଇଛନ୍ତି। ଆଗୁଆ ସତର୍କ ସୂଚନା ସତ୍ତ୍ୱେ ସରକାର କାହିଁକି ଆବଶ୍ୟକ ପ୍ରସ୍ତୁତି କରିନଥିଲେ, ଡ୍ୟାମ୍ ଗେଟ୍ ଖୋଲିବା ପୂର୍ବରୁ ଲୋକଙ୍କୁ କାହିଁକି ପର୍ଯ୍ୟାପ୍ତ ସୂଚନା ଦିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବିଳମ୍ବ ସହ ମିଶନ ଶକ୍ତି ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା କରାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ବିଜେଡି ସରକାରର ୨୪ ବର୍ଷର ବିକାଶକୁ ଡବଲ୍ ଇଞ୍ଜିନ ସରକାର ୨୪ ମାସରେ ନଷ୍ଟ ନକରୁ ବୋଲି ଚିଠିରେ ଚେତାଇ ଦେଇଛନ୍ତି ନବୀନ। ଗଞ୍ଜାମବାସୀଙ୍କ ହକ୍ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବେ ବୋଲି କହିଛନ୍ତି | ସେହିପରି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ଘେରିଛନ୍ତି। ସେ କେବଳ ବର୍ତ୍ତମାନର ବିଜେପି ସରକାର ନୁହେଁ, ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ବିଜେଡି ସରକାରଙ୍କୁ ମଧ୍ୟ ବନ୍ୟାର ସ୍ଥାୟୀ ପ୍ରତିକାର ନକରିବା ପାଇଁ ଦାୟୀ କରିଛନ୍ତି |
ଭକ୍ତଙ୍କ ଅଭିଯୋଗ ଅନୁଯାୟୀ, ଆଇଏମଡିର ସତର୍କ ସୂଚନା ସତ୍ତ୍ୱେ ଅକ୍ଟୋବର ୨୩ରୁ ୨୮ ତାରିଖ ମଧ୍ୟରେ ଡ୍ୟାମ୍ଗୁଡ଼ିକର ଜଳସ୍ତର ହ୍ରାସ କରାଯାଇନଥିଲା | ଏହାପରେ ହଠାତ୍ ଜଳପ୍ରବାହ ବୃଦ୍ଧି କରାଯିବାରୁ ବନ୍ୟା ସ୍ଥିତି ଭୟାବହ ହୋଇଥିଲା । ଏଥିପାଇଁ ଜଳସମ୍ପଦ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତରଦାୟିତ୍ୱ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି | ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଜଳସମ୍ପଦ ବିଭାଗର ପୂର୍ବତନ ସଚିବ ସୁରେଶ ମହାପାତ୍ରଙ୍କ ଭିଡିଓ ଓ ମତାମତକୁ ନେଇ ମଧ୍ୟ ସରକାରଙ୍କୁ ଜବାବ ମାଗିଛି କଂଗ୍ରେସ। ବନ୍ୟା ପରିଚାଳନାରେ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି |
କଂଗ୍ରେସର ୫ ହଜାର କୋଟି ସହାୟତା ଦାବି
ଗଞ୍ଜାମ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କଠାରୁ ୫ ହଜାର କୋଟି ଟଙ୍କାର ସହାୟତା ଆଣିବାକୁ ରାଜ୍ୟ ସରକାର ଦାବି କରନ୍ତୁ ବୋଲି କଂଗ୍ରେସ କହିଛି। ଏଥିସହ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ଼, ଫସଲ କ୍ଷତି ପାଇଁ ଏମ୍ଏସ୍ପି ଆଧାରରେ କ୍ଷତିପୂରଣ ଏବଂ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଦାବି ହୋଇଛି | କଂଗ୍ରେସର ଦାବି ଅନୁଯାୟୀ, ବନ୍ୟାରେ ପ୍ରାୟ ୨ ଲକ୍ଷ ହେକ୍ଟର ଜମିର ଧାନ ଫସଲ ନଷ୍ଟ ହୋଇଛି। ତେଣୁ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଜିଲ୍ଲାରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଦଳ ଦାବି କରିଛି।
ସ୍ଥାୟୀ ପ୍ରତିକାର ନେଇ ଉଠିଲା ପ୍ରଶ୍ନ
ଭକ୍ତ ଚରଣ ଦାସ କହିଛନ୍ତି, ପ୍ରତିଥର ବନ୍ୟା ଆସିବା ପରେ ଉଦ୍ଧାର, ରିଲିଫ୍ ଓ ମରାମତିରେ ଅର୍ଥ ଖର୍ଚ୍ଚ କରିବା ପରିବର୍ତ୍ତେ ଏକକାଳୀନ ମାଷ୍ଟରପ୍ଲାନ ମାଧ୍ୟମରେ ସ୍ଥାୟୀ ସମାଧାନ କରାଯାଉ। ଋଷିକୁଲ୍ୟା ନଦୀର ବନ୍ୟା ସମସ୍ୟାର ସମାଧାନ, ନଦୀବନ୍ଧ, ଆନିକଟ ଓ କେନାଲର ମରାମତି ଏବଂ ରାଜ୍ୟର ୧୦ଟି ବନ୍ୟାପ୍ରବଣ ଜିଲ୍ଲାରେ ଆଗୁଆ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଏହି ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ଭକ୍ତ ଚରଣ ଦାସ ଚେତାବନୀ ଦେଇଛନ୍ତି | ଗଞ୍ଜାମ ବନ୍ୟାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି। ବନ୍ୟାର କାରଣ, ପ୍ରଶାସନିକ ଦାୟିତ୍ୱ ଓ ପ୍ରଭାବିତଙ୍କୁ ସହାୟତା ପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି।
