Bhadrak-Kali-Visarjan:ଭଦ୍ରକରେ ମା’ କାଳୀଙ୍କୁ ମେଲାଣି
ନଅ ଦିନର ପୂଜାପାଠ ଓ ଉତ୍ସବ ପରେ ମା’ଙ୍କୁ ମେଲାଣି ଦେବାର ସମୟ। ସିନ୍ଦୂର ଖେଳରେ ମା’ଙ୍କୁ ବିଦାୟ ଦେଲେ ମହିଳା ଶ୍ରଦ୍ଧାଳୁ। ଭସାଣୀ ଶୋଭାଯାତ୍ରାରେ ମୁଖରିତ ହେଲା ଭଦ୍ରକ ସହର, ଆଖିରେ ଥିଲା ବିଦାୟର ଲୁହ।
ଭଦ୍ରକ:ଧୁମ୍ଧାମ୍ରେ ସରିଲା ଭଦ୍ରକର ପ୍ରସିଦ୍ଧ କାଳୀପୂଜା। ନଅ ଦିନର ଉତ୍ସବ, ଆଲୋକସଜ୍ଜା ଓ ଭକ୍ତିମୟ ପରିବେଶ ପରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମା’ କାଳୀଙ୍କ ଭସାଣୀ ଉତ୍ସବ। ମା’ଙ୍କୁ ବିଦାୟ ଦେବା ବେଳେ ଶ୍ରଦ୍ଧାଳୁଙ୍କ ମନରେ ଭରି ରହିଥିଲା ଭକ୍ତି ସହ ବିଦାୟର ଭାବନା। ଭଦ୍ରକ ସହରର ୯ରୁ ଊର୍ଦ୍ଧ୍ୱ ମଣ୍ଡପରେ ଦୀର୍ଘ ନଅ ଦିନ ଧରି ମା’ କାଳୀଙ୍କ ପୂଜାର୍ଚ୍ଚନା ଚାଲିଥିଲା। ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମଣ୍ଡପ ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା ଓ ପ୍ରତିଯୋଗିତାମୂଳକ ଆୟୋଜନ କରାଯାଇଥିଲା। ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭସାଣୀ ଅବସରରେ ବଙ୍ଗୀୟ ପରମ୍ପରା ଅନୁଯାୟୀ,ମହିଳା ଶ୍ରଦ୍ଧାଳୁମାନେ ମା’ଙ୍କୁ ସିନ୍ଦୂର ଲଗାଇବା ସହ ପରସ୍ପରକୁ ସିନ୍ଦୂର ପିନ୍ଧାଇ ଭକ୍ତିଭାବରେ ମେଲାଣି ଦେଇଥିଲେ। ପରେ ମା’ଙ୍କ ମୂର୍ତ୍ତିକୁ ଆକର୍ଷଣୀୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଏହାପରେ ଚରମ୍ପା କେନାଲରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ବର୍ଷକ ପରେ ମା’ଙ୍କ ଆଗମନକୁ ନେଇ ଯେଉଁ ଉତ୍ସାହ ଓ ଉଲ୍ଲାସ ଥିଲା, ବିଦାୟ ବେଳେ ତାହା ଭାବବିହ୍ୱଳ ପରିବେଶରେ ପରିଣତ ହୋଇଥିଲା। ଆଖିରେ ଲୁହ ଓ ମନରେ ଭକ୍ତି ନେଇ ଶ୍ରଦ୍ଧାଳୁମାନେ ମା’ଙ୍କୁ ଆସନ୍ତା ବର୍ଷ ପୁଣି ଫେରିବାକୁ ପ୍ରାର୍ଥନା କରି ବିଦାୟ ଜଣାଇଥିଲେ।
