Anganwadi Workers Get a Big Win : ପାଞ୍ଚ ଦିନର ସଂଘର୍ଷ ପରେ ବଡ଼ ବିଜୟ
ପାଞ୍ଚ ଦିନର ଲଢ଼େଇକୁ ମିଳିଲା ସଫଳତା! ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଓ ଭତ୍ତା ବଢ଼ାଇଲେ ସରକାର, ଖୁସିରେ ଆନ୍ଦୋଳନରୁ ଓହରିଲେ କର୍ମୀ ଓ ସହାୟିକା।

ପାଞ୍ଚ ଦିନର ସଂଘର୍ଷ ପରେ ଶେଷରେ ମିଳିଲା ସଫଳତା। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦାବି ଆଗରେ ନରମ ପଡ଼ିଲେ ସରକାର। ବଢ଼ିଲା ମାସିକ ଦରମା, ବଢ଼ିଲା ଅବସରକାଳୀନ ଭତ୍ତା। ମୃତ୍ୟୁକାଳୀନ ସହାୟତା ରାଶିରେ ମଧ୍ୟ ହେଲା ବଡ଼ ବୃଦ୍ଧି। ସରକାରଙ୍କ ଏହି ଘୋଷଣା ପରେ ଆନ୍ଦୋଳନରୁ ଓହରିଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ତେବେ କେଉଁ କ୍ଷେତ୍ରରେ କେତେ ବଢ଼ିଲା ଟଙ୍କା?
ଲୋୟର ପିଏମ୍ଜିରେ ଆନ୍ଦୋଳନ, ବିଧାନସଭାରେ ବଡ଼ ଘୋଷଣା
ନିଜର ୭ ଦଫା ଦାବି ପୂରଣ ପାଇଁ ଗତ ନଭେମ୍ବର ୨୩ ତାରିଖରୁ ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଅହୋରାତ୍ର ଧାରଣାରେ ବସିଥିଲେ ରାଜ୍ୟର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟର ୭୪ ହଜାରରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରରେ ସେବା ପ୍ରଭାବିତ ହୋଇଥିଲା। ଦରମା ବୃଦ୍ଧି, ଅବସରକାଳୀନ ସହାୟତା ଓ ମୃତ୍ୟୁକାଳୀନ ସହାୟତା ଭଳି ଦାବି ନେଇ ରାଜରାସ୍ତାରେ ଲଢ଼େଇ ଜାରି ରଖିଥିଲେ ମହିଳାମାନେ। ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ବିଧାନସଭାରେ ବଡ଼ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ସରକାରଙ୍କ ଘୋଷଣା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ଅଙ୍ଗନବାଡ଼ି ସଂଘ।
କାହାର ଦରମା କେତେ ବଢ଼ିଲା?
ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦରମା ୧୦ ହଜାର ଟଙ୍କାରୁ ବଢ଼ି ୧୨ ହଜାର ଟଙ୍କା ହୋଇଛି। ସେହିପରି ସହାୟିକାଙ୍କ ଦରମା ୫ ହଜାରରୁ ବୃଦ୍ଧି ପାଇ ୬ ହଜାର ଟଙ୍କା ହୋଇଛି | କେବଳ ମାସିକ ଦରମା ନୁହେଁ, ଅବସର ସମୟରେ ମିଳୁଥିବା ସହାୟତା ରାଶିରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ଅଙ୍ଗନବାଡ଼ି କର୍ମୀଙ୍କ ଅବସରକାଳୀନ ସହାୟତା ୧ ଲକ୍ଷରୁ ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ହୋଇଛି। ଅନ୍ୟପଟେ ସହାୟିକାଙ୍କ ପାଇଁ ଏହି ରାଶି ୫୦ ହଜାରରୁ ବଢ଼ି ଦେଢ଼ ଲକ୍ଷ ଟଙ୍କା କରାଯାଇଛି। ଏହାସହ ମୃତ୍ୟୁକାଳୀନ ସହାୟତା ରାଶିକୁ ମଧ୍ୟ ଦୁଇଗୁଣ କରିବାକୁ ସରକାର ଘୋଷଣା କରିଛନ୍ତି।
ଜାରି ରହିବ ବାର୍ଷିକ ପ୍ରୋତ୍ସାହନ
ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଥିବା ବାର୍ଷିକ ଆର୍ଥିକ ପ୍ରୋତ୍ସାହନ ରାଶି ପୂର୍ବଭଳି ଜାରି ରହିବ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି।ଦୀର୍ଘ ଦିନର ଦାବି ଓ ପାଞ୍ଚ ଦିନର ଆନ୍ଦୋଳନ ପରେ ସରକାରଙ୍କ ଏହି ଘୋଷଣା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଲୋୟର ପିଏମ୍ଜିରେ ଚାଲିଥିବା ଧାରଣାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଏବେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା।
