Baliyatra Music Night: ବାଲିଯାତ୍ରା ମଞ୍ଚରେ ପାପନଙ୍କ ମ୍ୟୁଜିକ୍ ମ୍ୟାଜିକ୍, ମତୁଆଲା ହେଲେ ଦର୍ଶକ
ବାଲିଯାତ୍ରା ମଞ୍ଚରେ ବଲିଉଡ୍ ଗାୟକ ପାପନଙ୍କ ମ୍ୟୁଜିକ୍ ମ୍ୟାଜିକ୍। ମଧୁର ସ୍ୱର ଓ ହିଟ୍ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ।
କଟକ: ବାଲିଯାତ୍ରା ମଞ୍ଚରେ ଛାଇଲା ବଲିଉଡ୍ କଣ୍ଠଶିଳ୍ପୀ ପାପୋନଙ୍କ ସଙ୍ଗୀତର ଯାଦୁ। ନିଜର ମନମତାଣିଆ ଓ ମଧୁର ସ୍ୱରରେ ହଜାର ହଜାର ଦର୍ଶକଙ୍କୁ ମତୁଆଲା କରିଥିଲେ ପାପନ। ଆଧୁନିକ ସଙ୍ଗୀତ ସହ ଶାସ୍ତ୍ରୀୟ ସଙ୍ଗୀତର ଅପୂର୍ବ ସମନ୍ୱୟ ତାଙ୍କ ପରିବେଷଣକୁ ଅଧିକ ଆକର୍ଷଣୀୟ କରିଥିଲା। ଗୁରୁବାର ସନ୍ଧ୍ୟାରେ ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ଜମିଥିଲା ସଙ୍ଗୀତର ଆସର। ମଞ୍ଚକୁ ଆସିବା ମାତ୍ରେ ପାପୋନ୍ ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ। ନିଜର ହିଟ୍ ଗୀତ ସହ ଅନ୍ୟ ଲୋକପ୍ରିୟ ଗୀତଗୁଡ଼ିକୁ ନିଜସ୍ୱ ଶୈଳୀରେ ଗାଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପାପୋନ୍ଙ୍କ ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଶୀତୁଆ ସନ୍ଧ୍ୟାରେ ତାଙ୍କର ମେଲୋଡିୟସ୍ ସଙ୍ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ସାଧାରଣ ଶ୍ରୋତାଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଏହି ସଙ୍ଗୀତ ସନ୍ଧ୍ୟାର ଭରପୂର ମଜା ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଗଣମାଧ୍ୟମକୁ ପାପୋନ୍ କହିଥିଲେ ଯେ, ବାଲିଯାତ୍ରାର ଏହି ମଞ୍ଚ ତାଙ୍କ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ। ଏଠାକାର ପରିବେଶ ଓ ଦର୍ଶକଙ୍କ ଭଲପାଇବା ତାଙ୍କୁ ଅଭିଭୂତ କରିଛି। ପୁଣିଥରେ ସୁଯୋଗ ମିଳିଲେ ବାଲିଯାତ୍ରାକୁ ଆସିବାକୁ ସେ ନିଶ୍ଚିତ ଆଗ୍ରହୀ ବୋଲି କହିଥିଲେ।
ଏସିଆର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳା ଭାବେ ପରିଚିତ ବାଲିଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା ବେଳେ ସାଂସ୍କୃତିକ ମଞ୍ଚଗୁଡ଼ିକରେ ମଧ୍ୟ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି। ପାପୋନ୍ ଙ୍କ ମନଛୁଆଁ ସଙ୍ଗୀତ ସନ୍ଧ୍ୟା ଚଳିତ ବାଲିଯାତ୍ରାର ଏକ ସ୍ମରଣୀୟ ଆକର୍ଷଣ ପାଲଟିଛି।
